କରୋନାଭାଇରସର ଚିତ୍ର ଜାରି କଲେ ଭାରତୀୟ ବୈଜ୍ଞାନିକ, ଦେଶର ପ୍ରଥମ ଆକ୍ରାନ୍ତଙ୍କ ଶରୀରରୁ ନିଆଯାଇଛି ଫଟୋ

ନୂଆଦିଲ୍ଲୀ: ପୁଣେର ବୈଜ୍ଞାନିକମାନେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଅଣୁବୀକ୍ଷଣ ଯନ୍ତ୍ରରେ କରୋନାଭାଇରସର ଚିତ୍ର ଉତ୍ତୋଳନ କରିଛନ୍ତି । ଭାରତରେ ପ୍ରଥମେ ୨୦୨୦ ଜାନୁଆରି ୩୦ ତାରିଖ ଦିନ ଲାବ୍ରୋଟରି ଦ୍ୱାରା ନିଶ୍ଚିତ କରାଯାଇଥିବା ଅଭିନବ କରୋନାଭାଇରସ୍ ଆକ୍ରାନ୍ତ ମହିଳାଙ୍କ ଗଳାରୁ ନିଆଯାଇଥିବା ସ୍ୱାବ୍ ନମୁନାରୁ ଚିତ୍ର ଉତ୍ତୋଳନ କରାଯାଇଛି । “ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ’ରେ ଏହି ଚିତ୍ର ପ୍ରକାଶ ପାଇଛି ।

ସମ୍ପୃକ୍ତ ମହିଳା ହେଉଛନ୍ତି ଊହାନରେ ଡାକ୍ତରୀ ପଢୁଥିବା ତିନିଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ଅନ୍ୟତମା । ଘରକୁ ଫେରିବା ପରେ ସେ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା କଥା ସ୍ୱାବ୍ ପରୀକ୍ଷାରୁ ଜଣାପଡ଼ିଥିଲା ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚର ପୂର୍ବତନ ମହାନିର୍ଦେଶକ ଡକ୍ଟର୍ ନିର୍ମଳ କୁମାର ଗାଙ୍ଗୁଲୀ କହିଛନ୍ତି ଯେ କରୋନାଭାଇରସର ଚେହେରା ଗୋଟାଏ “ମୁକୁଟ’ ବା “କ୍ରାଉନ୍’ ସଦୃଶ । ତା’ ଦେହରେ ଉଠିଥିବା ପ୍ରୋଟିନ୍ କଣ୍ଟକଗୁଡ଼ିକ ଯୋଗୁଁ ସେ ମୁକୁଟ ପରି ଦିଶୁଥିବାରୁ ତା’ର ନାଁ “କରୋନା’ ରଖାଯାଇଛି । ଲାଟିନ୍ ଭାଷାରେ “କ୍ରାଉନ୍’ ବା “ମୁକଟ’କୁ “କରୋନା’ କୁହାଯାଏ । ଏହି ଭାଇରସ୍ ଶରୀର ମଧ୍ୟରେ ଥିବା “ପ୍ରୋଟିନ୍’ ଏବଂ “ସୁଗର’ ଆଦି ଗୁଡ଼ାଏ “ରିସେପ୍ଟର୍'(ସମ୍ବେଦନଶୀଳ ଜୀବକୋଷ)ଙ୍କୁ ବାରି ପାରେ । ପ୍ରଥମେ ଏହି “ରିସେପଟର୍’ଙ୍କ ଠାରେ ଲାଖି ରହିବା ପରେ କରୋନାଭାଇରସ୍ ଜୀବକୋଷ ମଧ୍ୟକୁ ପ୍ରବେଶ କରିଥାଏ ।

Protein Spike of Coronavirus: Image Courtesy of Scientific America

ସଂଗୃହୀତ ନମୁନାର ଅନୁଶୀଳନାତ୍ମକ ଅଧ୍ୟୟନ କରି ବୈଜ୍ଞାନିକମାନେ କରୋନାଭାଇରସର ଆନୁବଂଶିକ ସୃଷ୍ଟି ଏବଂ ବିବର୍ତ୍ତନକୁ ଚିହ୍ନଟ କରିଥିଲେ । ପୁଣେସ୍ଥିତ “ଏନଆଇଭି’ରେ ସଜ୍ଜିକରଣ ହୋଇଥିବା ଉକ୍ତ ଭୂତାଣୁର ଗୁଣସୂତ୍ର ଊହାନର କରୋନାଭାଇରସ୍ ଗୁଣସୂତ୍ର ସହ ୯୯. ୯୮% ମେଳ ଖାଉଛି । ଏହି ଭୂତାଣୁ କିଭଳି ମଣିଷକୁ ସଂକ୍ରମିତ କରୁଛି ତାହା ଜାଣିବାରେ ଏହି ଅଧ୍ୟୟନ ସହାୟତା କରିବ ବୋଲି ବିଶ୍ୱାସ କରାଯାଉଛି ।

ସମ୍ବନ୍ଧିତ ଖବର