ବେଜିଂ: ବିଶ୍ବର ସର୍ବାଧିକ ଜନବହୁଳ ଦେଶ ଚୀନ୍‌ର ଜନସଂଖ୍ୟାରେ ଐତିହାସିକ ହ୍ରାସ ଦେଖାଦେଇଛି। ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସ ଦ୍ବାରା ମଙ୍ଗଳବାର ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି। ଚୀନ୍‌ରେ ନିରବଚ୍ଛିନ୍ନ ଭାବେ ଜନସଂଖ୍ୟାରେ ବୃଦ୍ଧି ଘଟି ଆସୁଥିବା ବେଳେ ୬୦ ବର୍ଷରେ ପ୍ରଥମ ଥର ପାଇଁ ୨୦୨୨ରେ ଏହି ହ୍ରାସ ପରିଲକ୍ଷିତ ହୋଇଛି। ବିଦେଶୀଙ୍କୁ ବାଦ୍ ଦେଇ ଚୀନ୍‌ର ଜନସଂଖ୍ୟା ୨୦୨୨ରେ ୮୫୦,୦୦୦ ହ୍ରାସ ପାଇ ୧୪୧ କୋଟିରେ ପହଞ୍ଚିଛି ବୋଲି ଷ୍ଟାଟିଷ୍ଟିକ୍ସ ବ୍ୟୁରୋ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁସାରେ, ମୂଳ ଚୀନ୍‌ର ଜନସଂଖ୍ୟା ୨୦୨୧ ଶେଷସୁଦ୍ଧା ୪୮୦,୦୦୦ ବୃଦ୍ଧି ପାଇ ୧୪୧ କୋଟି ହୋଇଥିଲା। ୨୦୨୧ରେ ନୂତନ ଜନ୍ମହାର ୧୩ ପ୍ରତିଶତ କମିଥିବା ବେଳେ ୨୦୨୦ରେ ଏହା ୨୨ ପ୍ରତିଶତ ହ୍ରାସ ପାଇଥିଲା। ଇତିମଧ୍ୟରେ ଦେଶର ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଡିସେମ୍ବର ୮, ୨୦୨୨ରୁ ଜାନୁଆରି ୧୨, ୨୦୨୩ ଭିତରେ କୋଭିଡ୍‌-୧୯ ସଂକ୍ରମଣ ହେତୁ ପ୍ରାୟ ୬୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି।

Advertisment

ପୂର୍ବରୁ ଚୀନ୍ ରିପୋର୍ଟ କରିଥିଲା ଯେ, ୧୯୬୦ ଦଶକରେ ଦେଶରେ ଜନସଂଖ୍ୟାର ବିଯୁକ୍ତାତ୍ମକ ବୃଦ୍ଧି ଘଟିଥିଲା। ଚୀନ୍‌ର ଏକ ସନ୍ତାନ ନୀତିର ସମାଲୋଚକ ତଥା ‘ବିଗ୍ କଣ୍ଟ୍ରି ୱିଥ୍ ଆନ୍ ଏମ୍ପ୍‌ଟି ନେଷ୍ଟ’ ପୁସ୍ତକର ଲେଖକ ୟି ଫୁକ୍ସିଆନ ଏହି ସୂଚନା ଦେଇଚନ୍ତି। ଜନସଂଖ୍ୟାରେ ଏହି ହ୍ରାସ ଚୀନ୍‌ରେ ଜନସାଂଖ୍ୟିକ ସଂକଟର ସୂଚକ ହୋଇପାରେ। ଗତବର୍ଷ ଜନ୍ମହାରଠାରୁ ମୃତ୍ୟୁହାର ଅଧିକ ହୋଇଥିଲା, ଯାହା ୬୦ ବର୍ଷରେ ପ୍ରଥମ। ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁସାରେ ୨୦୨୨ରେ ଚୀନ୍‌ରେ ୯୫.୬ ଲକ୍ଷ ପିଲା ଜନ୍ମଗ୍ରହଣ କରିଥିବା ବେଳେ ୧୦୪.୧ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି। ଏହା ପୂର୍ବରୁ ୧୯୬୦ ଦଶକରେ ଅର୍ଥନୈତିକ ପରୀକ୍ଷା-ନିରୀକ୍ଷାରେ ମାଓ ସେ ତୁଙ୍ଗଙ୍କ ବିଫଳତା ଯୋଗୁ ବ୍ୟାପକ ମରୁଡ଼ି ପଡ଼ିବା ଓ ବହୁସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବା ଯୋଗୁ ଜନସଂଖ୍ୟାରେ ହ୍ରାସ ଦେଖାଦେଇଥିଲା।

ବର୍ତ୍ତମାନ ଜନ୍ମହାର ହ୍ରାସ ପାଇଥିବା ବେଳେ ଜୀବନ ସମ୍ଭାବ୍ୟତା ମଧ୍ୟ ବୃଦ୍ଧି ପାଇଥିବାରୁ ଚୀନ୍‌ ଏକ ଜନସାଂଖ୍ୟିକ ସଂକଟ ଦେଇ ଗତି କରିବା ନିଶ୍ଚିତ। ଅର୍ଥନୀତି ମଧ୍ୟ ତାହାଦ୍ବାରା ପ୍ରଭାବିତ ହେବ। କେବଳ ଚୀନ୍ ନୁହେଁ ସାରା ବିଶ୍ବରେ ଏପରି ସଂକଟ ଆସିବାକୁ ଯାଉଛି। ଦେଶରେ କାର୍ଯ୍ୟୋତ୍ସାହୀ ପ୍ରାଣବନ୍ତ ଯୁବକଙ୍କ ଅପେକ୍ଷା ସ୍ଥବିର ବୃଦ୍ଧମାନଙ୍କ ସଂଖ୍ୟା ‌ଅଧିକ ହେବ। ଶ୍ରମିକ ନ ମିଳିବାରୁ କଳକାରଖାନାରେ କାମ ହୋଇପାରିବ ନାହିଁ। ଉତ୍ପାଦନ ହ୍ରାସ ପାଇବା ଫଳରେ ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ପ୍ରଭାବିତ କରିବ ବୋଲି ରିପୋର୍ଟରେ କୁହାଯାଇଛି।