ବିଶ୍ବରେ ପ୍ରଥମ: ମଣିଷ ଶରୀରରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ୱାସିଂଟନ: ଚିକିତ୍ସା ବିଜ୍ଞାନରେ ଏକ ବିରଳ ସଫଳତା ଆମେରିକାର ଡାକ୍ତରମାନଙ୍କୁ ମିଳିଛି। ମେଡିକାଲ ଇତିହାସରେ ପ୍ରଥମ ଥର ପାଇଁ ମେରିଲାଣ୍ଡର ଏକ ହସ୍ପିଟାଲରେ ସୋମବାର ଡାକ୍ତରମାନେ ଜଣେ ମଣିଷ ଶରୀରରେ ଘୁଷୁରି ହୃତପିଣ୍ଡ ପ୍ରତିରୋପଣ କରି ଏହି ସଫଳତା ପାଇଛନ୍ତି। ତେବେ ଏହି ସଫଳତା କେତେଦିନ ଯାଏ ରହିବ ତାହା ଏବେଠୁ କହିବା କଷ୍ଟକର। ତିନିଦିନର ଏକ୍ସିପିରିମେଣ୍ଟାଲ ସର୍ଜରୀ ପରେ ଡାକ୍ତରମାନେ ଏହି ବହୁକାଙ୍‌କ୍ଷିତ ଅସ୍ତ୍ରୋପଚାର କରିଛନ୍ତି। ବୈଜ୍ଞାନିକମାନେ ବହୁଦିନ ଧରି ସ୍ବପ୍ନ ଦେଖି ଆସୁଥିଲେ ଯେ ଦିନେ ନା ଦିନେ ସେମାନେ ମଣିଷ ଅଙ୍ଗରେ ଅନ୍ୟ ପ୍ରାଣୀଙ୍କ ଅଙ୍ଗ ପ୍ରତିରୋପଣ କରି ଜୀବନ ବଞ୍ଚାଇବେ। ଏଥିପାଇଁ ଅନେକ ବର୍ଷ ହେଲା ଗବେଷଣା ଜାରି ରହିଛି। ୟୁନିଭର୍ସିଟି ଅଫ୍ ମେରିଲାଣ୍ଡ ମେଡିକାଲ ସେଣ୍ଟରର ଡାକ୍ତରମାନେ କହିଛନ୍ତି ଯେ ଉକ୍ତ ଜିନ୍-ପରିବର୍ତ୍ତିତ ଘୁଷୁରିର ହୃତପିଣ୍ଡ ରୋଗୀ ଶରୀରରେ ପ୍ରତିରୋପଣ କଲା ପରେ ରୋଗୀ ଶରୀର ତାକୁ ତତ୍କାଳ ପ୍ରତ୍ୟାଖ୍ୟାନ କରିନାହିଁ।

ମେରିଲାଣ୍ଡର ୫୭ ବର୍ଷୀୟ ଡେଭିଡ୍ ବେନେଟ ଜାଣିଥିଲେ ଯେ ପ୍ରତିରୋପଣ ପାଇଁ ତାଙ୍କୁ ମଣିଷ ହୃତପିଣ୍ଡ ମିଳିବ ନାହିଁ। ତେଣୁ ମରିବା ଅପେକ୍ଷା ଡାକ୍ତରମାନଙ୍କୁ ସେମାନଙ୍କ ଗବେଷଣା ପାଇଁ ଗୋଟାଏ ସୁଯୋଗ ଦେବା ଉଚିତ। ଘୁଷୁରି ହୃତପିଣ୍ଡ ଯଦି ତାଙ୍କ ଶରୀରରେ ଠିକ୍ ଠିକ୍ କାମ କରିବ ସେ ଆଉ କିଛିଦିନ ବଞ୍ଚିବେ, ନ ହେଲେ ମରିବେ। ବେନେଟ ପ୍ରତିରୋପଣର ଦିନକ ପୂର୍ବରୁ ଏ କଥା କହିଛନ୍ତି। ସୋମବାର ବେନେଟ ନିଜେ ନିଜେ ନିଃଶ୍ବାସପ୍ରଶ୍ବାସ ନେଉଥିଲେ ଯେତେବେଳେ କି ତାଙ୍କ ନୂଆ ହୃତ୍‌ପିଣ୍ଡକୁ ସାହାଯ୍ୟ କରିବା ପାଇଁ ତାଙ୍କଠାରେ ଏକ ହାର୍ଟ-ଫୁସ୍‌ଫୁସ୍ ମେସିନ ଲାଗିଥିଲା। ଆସନ୍ତା କିଛି ସପ୍ତାହ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ ଏବଂ ସେ ଡାକ୍ତରୀ ଦଳଙ୍କ ତତ୍ତ୍ବାବଧାନରେ ରହିବେ।

ଅଙ୍ଗ ପ୍ରତିରୋପଣ ପାଇଁ ଦାତାମାନଙ୍କଠାରୁ ଯଥେଷ୍ଟ ସଂଖ୍ୟାରେ ମଣିଷ ଅଙ୍ଗ ମିଳୁ ନ ଥିବାରୁ ବୈଜ୍ଞାନିକମାନେ ପ୍ରାଣୀ ଅଙ୍ଗ ପ୍ରତିରୋପଣ କରିବା ପାଇଁ ଗବେଷଣା କରିଆସୁଛନ୍ତି। ଗତବର୍ଷ ଆମେରିକାରେ ୩,୮୦୦ ହୃତ୍‌ପିଣ୍ଡ ପ୍ରତିରୋପଣ ହୋଇଥିଲା। ନୂଆ ପ୍ରତିରୋପଣ ଯଦି ଠିକ୍ ଠିକ୍ କାମ କରେ ତେବେ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ସଂଖ୍ୟାରେ ଜିନ୍-ପରିବର୍ତ୍ତିତ ଘୁଷୁରି ଅଙ୍ଗ ଯୋଗାଇ ଦିଆଯାଇପାରିବ ବୋଲି ମେରିଲାଣ୍ଡ ବିଶ୍ବବିଦ୍ୟାଳୟର ପ୍ରାଣୀରୁ-ମଣିଷ-ପ୍ରତିରୋପଣ କାର୍ଯ୍ୟକ୍ରମର ବୈଜ୍ଞାନିକ ନିର୍ଦ୍ଦେଶକ ଡ. ମହମ୍ମଦ ମୋହିଉଦ୍ଦିନ କହିଛନ୍ତି। ପୂର୍ବରୁ ଏଭଳି ପ୍ରତିରୋପଣ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର