ଚେନ୍ନାଇ: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ସର୍ବପ୍ରଥମ ଇଞ୍ଜିନ୍ ବିହୀନ ଟ୍ରେନ୍ ଏବେ ଧାରଣା ଉପରେ ପରୀକ୍ଷାମୂଳକ ଭାବେ ଚଳାଚଳ କରିବା ପାଇଁ ସଂପୂର୍ଣ୍ଣ ଭାବେ ତୟାର ହୋଇ ରହିଛି। ସରକାରଙ୍କ ଠାରୁ ବିଧିବଦ୍ଧ ଅନୁମତି ମିଳିବା ପରେ ଯେ କୌଣସି ମୁହୂର୍ତ୍ତରେ ଏହି ଇଞ୍ଜିନ୍ ବିହୀନ ଟ୍ରେନ୍ଟି ଧାରଣା ଉପରେ ନିଜର ପରୀକ୍ଷା ମୂଳକ ଚଳାଚଳ ଆରମ୍ଭ କରିପାରେ ବୋଲି ଜାଣିବାକୁ ମଳିିଛି। ବୁଲେଟ୍ ଟ୍ରେନ୍ ପରି ଦୃଶ୍ୟମାନ ହେଉଥିବା ଏହି ଟ୍ରେନ୍ ପାଇଁ କୌଣସି ପ୍ରକାରର ଇଞ୍ଜିନ୍ର ଆବଶ୍ୟକତା ନାହିଁ। ଟ୍ରେନ୍- ୧୮ ନାମରେ ନାମିତ ଏହି ଟ୍ରେନ୍କୁ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟି୍ର (ଆଇସିଏଫ୍)ରେ ଡିଜାଇନ୍ କରାଯିବା ସହ ସେହିଠାରେ ହିଁ ଏହାକୁ ନିର୍ମାଣ କରାଯାଇଛି। ଏବେ ନିର୍ମାଣଧୀନ ଅବସ୍ଥାରେ ରହିଥିବା ଏହିପରି ଆଉ ଗୋଟିଏ ଟ୍ରେନ୍ର ନିର୍ମାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଯିବ ବୋଲି ଆଇସିଏଫ୍ ସୂତ୍ରରୁ ଜାଣିବାକୁ ମିଳିଛି।
୧୬ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ର ନିର୍ମାଣ ପାଇଁ ୧୮ ମାସ ସମୟ ଲାଗିଥିବା ବେଳେ ଏଥିପାଇଁ ଖର୍ଚ୍ଚ ହୋଇଛି ୧୦୦ କୋଟି ଟଙ୍କା। ୧୬ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ଟି ସଂପୂର୍ଣ୍ଣ ରୂପେ ଶୀତତାପ ନିୟନ୍ତ୍ରିତ। ଡ୍ରାଇଭର ବସୁଥିବା କୋଚ୍ରେ ୪୪ ଜଣ ଯାତ୍ରୀ ବସିବା ପାଇଁ ସୁବିଧା ରହିଥିବା ବେଳେ ଅନ୍ୟ କୋଚ୍ଗୁଡ଼ିକରେ ୭୮ ଜଣ ଯାତ୍ରୀ ବସିବା ପାଇଁ ବ୍ୟବସ୍ଥା ରହିଛି। ସେହିପରି ଏହି ଟ୍ରେନ୍ରେ ଦୁଇଟି ଏକ୍ଜିକ୍ୟୁଟିଭ୍ କୋଚ୍ ରହିଥିବା ବେଳେ ପ୍ରତି କୋଚ୍ରେ ୫୨ଟି ଲେଖାଁଏ ସିଟ୍ ରହିଛି। ତେବେ, ଏକ୍ଜିକ୍ୟୁଟିଭ୍ କୋଚ୍ରେ ଲାଗିଥିବା ସିଟ୍ଗୁଡ଼ିକୁ ସ୍ପେନ୍ରୁ ଆମଦାନି କରାଯାଇଛି ଯାହାକି ୩୬୦ ଡିଗ୍ରି ବୁଲିପାରିବ।
ଏହି ଟ୍ରେନ୍ ଘଣ୍ଟାପ୍ରତି ୨୨୦ କିଲୋମିଟର ବେଗରେ ଚାଲିବା ପାଇଁ କ୍ଷମତା ରଖୁଥିଲେ ମଧ୍ୟ ଏହାକୁ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯାହାକି ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସର ବେଗ ଠାରୁ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ। ଏଥିସହ ଟ୍ରେନ୍ରେ ଯାତ୍ରୀ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ପ୍ରତି କୋଚ୍ରେ ୬ଟି କରି ସିସିଟିଭି କ୍ୟାମେରା ଲାଗିଛି। ଏଥିସହ ଯାତ୍ରୀମାନଙ୍କ ଉପରେ ଦୃଷ୍ଟି ରଖିବା ଡ୍ରାଇଭର କୋଚ୍ ବାହାରେ ମଧ୍ୟ ଏକ ଉଚ୍ଚ ଶକ୍ତି ସଂପନ୍ନ ସିସିଟିଭି କ୍ୟାମେରା ଲଗାଯାଇଛି। ପ୍ରତି କୋଚ୍ରେ ଜରୁରିକାଳୀନ ସ୍ୱିଚ୍ ରହିବା ସହ ଆବଶ୍ୟକ ସ୍ଥଳେ ଯାତ୍ରୀମାନେ ଟ୍ରେନ୍ ଡ୍ରାଇଭରଙ୍କ ସହ କଥା ହେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏଥିସହ ଟ୍ରେନ୍ରେ ଦିବ୍ୟାଙ୍ଗ ଯାତ୍ରୀମାନଙ୍କ ସୁବିଧା ପାଇଁ ଦୁଇଟି ଅତ୍ୟାଧୁନିକ ଶୌଚାଳୟ ରହିଥିବା ବେଳେ ଟ୍ରେନ୍ରେ ଯାତ୍ରୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ୟାଣ୍ଟ୍ରି ବ୍ୟବସ୍ଥା ରହିଛି। ସଫଳତାର ସହ ପରୀକ୍ଷାମୂଳକ ଚଳାଚଳକୁ ଶେଷ କଲେ ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରେନ୍କୁ ଶତାବ୍ଦୀ ଏକ୍ସପ୍ରେସ୍ ଚଳାଚଳ କରୁଥିବା ରୁଟ୍ରେ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି।