କେରଳରେ ଚିହ୍ନଟ ହେଲା ଦେଶର ପ୍ରଥମ ମଙ୍କିପକ୍ସ ମାମଲା

କୋଚି : କରୋନା ଭୁତାଣୁ କବଳରୁ ଭାରତ ସଂପୂର୍ଣ୍ଣଭାବେ ମୁକ୍ତ ହୋଇନଥିବାବେଳେ ଦେଶର ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ୟୁଏଇରୁ କେରଳର କୋଲ୍ଲାମକୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଏହାକୁ ନେଇ ଲୋକମାନେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଓ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଆକ୍ରାନ୍ତଙ୍କୁ ତିରୁଅନନ୍ତପୁରମ ମେଡିକାଲ କଲେଜରେ ରଖାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପିତା ଓ ମାତାଙ୍କୁ ମଧ୍ୟ ଉକ୍ତ ମେଡିକାଲ କଲେଜରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ଗତ ୧୨ ତାରିଖରେ ୟୁଏଇରୁ ଆସି କେରଳର ତିରୁଅନନ୍ତପୁରମରେ ଓହ୍ଲାଇଥିଲେ । କିଛି ଦିନ ପୂର୍ବରୁ ୟୁଏଇରେ ଥିବାବେଳେ ତାଙ୍କର ଜଣେ ସାଙ୍ଗ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିଲେ । ଉକ୍ତ ସାଙ୍ଗ  ସଂସ୍ପର୍ଶରେ ଆସି ସେ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ଏହା ସାଧାରଣତଃ ମିଳିମିଳା ପରି ଦେଖାଯାଇଥାଏ । ତେବେ ଏହା ସେତେଟା ମାରାତ୍ମକ ନୁହେଁ ।

ସମ୍ବନ୍ଧିତ ଖବର