ଜୟପୁର: ରାଜସ୍ଥାନର ଉଦୟପୁରରେ ଦେଶର ଦ୍ବିତୀୟ ଓମିକ୍ରନ୍‌ ମୃତ୍ୟୁ ହୋଇଛି। ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ଥିଲା। ଉଦୟପୁରର ମୁଖ୍ୟ ମେଡିକାଲ ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିନେଶ ଖରାଡ଼ି କହିଛନ୍ତି, ଡିସେମ୍ବର ୧୫ ତାରିଖରେ ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଛି। ଡିସେମ୍ବର ୧୫ ପରେ ତାଙ୍କ ଟେଷ୍ଟ ରିପୋର୍ଟ ୨ ଥର ନେଗେଟିଭ୍‌ ଆସିଥିଲା। ଉଲ୍ଲେଖଯୋଗ୍ୟ ଗତକାଲି ମହାରାଷ୍ଟ୍ରରେ ଦେଶର ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ଚିହ୍ନଟ ହୋଇଥିଲା।

Advertisment

ନାଇଜେରିଆରୁ ଫେରିଥିବା ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ଗତ ୨୮ ତାରିଖରେ ହୃଦ୍‌ଘାତ‌ରେ ମୃତ୍ୟୁ ହୋଇଥିଲା। ତାଙ୍କ ନମୁନାର ଜିନୋମ ସିକ୍ବେନ୍ସିଂ କରାଯିବାପରେ ‌ଜଣାପଡ଼ିଛି ଯେ ସେ ଓମିକ୍ରନ୍‌ ସଂକ୍ରମିତ ଥିଲେ।

ଟିକା ନେଇନଥିବା ଓମିକ୍ରନ୍‌ ଆକ୍ରାନ୍ତଙ୍କ ହସ୍ପିଟାଲ ଭର୍ତ୍ତି ସଂଖ୍ୟା ବଢ଼ୁଛି
ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଏବେ ଓମିକ୍ରନ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଟିକା ନେଇନଥିବା ଓମିକ୍ରନ୍‌ ଆକ୍ରାନ୍ତମାନେ ଅଧିକ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି।

ଓମିକ୍ରନ୍‌ ପ୍ରଜାତି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁନଥିଲେ ମଧ୍ୟ କିଛି ଲୋକଙ୍କ ପାଇଁ ଏହା ଅତି ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଟିକାକରଣ ହିଁ କରୋନାର ସମସ୍ତ ପ୍ରଜାତିର ମୁକାବିଲା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ବୋଲି ଦର୍ଶାଇ ସେ କହିଛନ୍ତି ଯେ ଓମିକ୍ରନ୍‌, ଡେଲ୍‌ଟା ଓ କରୋନାର ଅନ୍ୟ ପ୍ରଜାତି ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁହାରକୁ ଟିକା ହିଁ ଯଥେଷ୍ଟ କମାଇ ଦେଇଛି। ଟିକା ନେଇଥିବା ବ୍ୟକ୍ତିମାନେ ପୁନଃ ସଂକ୍ରମିତ ହେଉଥିଲେ ବି ସେମାନଙ୍କର ହସ୍ପିଟାଲରେ ଭର୍ତ୍ତି ହେବା ସମ୍ଭବନା କମ୍‌ ବୋଲି ସେ କହିଛନ୍ତି। ବିଶ୍ବବ୍ୟାପୀ ଟିକାକରଣ ଅଭିଯାନ ତ୍ବରାନ୍ବିତ ହେଲେ ବଡ଼ ଧରଣର ସ୍ବାସ୍ଥ୍ୟ ସଙ୍କଟକୁ ଟାଳି ଦିଆଯାଇପାରିବ ବୋଲି ସେ କହିଛନ୍ତି। ଓମିକ୍ରନ୍‌ ଯୋଗୁଁ ହସ୍ପିଟାଲରେ ଅଧିକ ରୋଗୀ ପହଞ୍ଚୁଥିବାରୁ ସ୍ବାସ୍ଥ୍ୟସେବା ପାଇଁ ଏହା ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି।