ଲଣ୍ଡନ : ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଦେଇଥିବା କରୋନା ଭୁତାଣୁର ନୂଆ ପ୍ରଜାତି ଓମକ୍ରନ ପ୍ରଥମ ଜୀବନ ନେଇଛି । ଲଣ୍ଡନର ଜଣେ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଖୋଦ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

Advertisment

ଲଣ୍ଡନର ପାଡିଙ୍ଗଟନଠାରେ ଥିବା ଏକ ଟୀକାକରଣ କେନ୍ଦ୍ର ପରିଦର୍ଶନ ଅବସରରେ ସେ କହିଛନ୍ତି ଯେ ଓମିକ୍ରନ ଦେଶରେ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଗଲାଣି । ଏପର୍ଯ୍ୟନ୍ତ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ଓ ଆଉ କେତେକ ଆକ୍ରାନ୍ତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଣୁ ଆମକୁ ପୁଣି କରୋନା ବିରୋଧରେ ଲଢିବାକୁ ହେବ । ବୁଷ୍ଟର ଡୋଜ ନେବାର ସମୟ ଆସିଯାଇଛି ବୋଲି ସେ କହିଛନ୍ତି ।

ଗତ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଏବେ ୫୭ ଟି ଦେଶରେ ଚିହ୍ନଟ ହୋଇଛି । ତା ମଧ୍ୟରୁ ୟୁରୋପର ଅଧିକାଂଶ ଦେଶ ଅଛନ୍ତି । ଏହା ପରେ ୟୁରୋପରେ ସ୍ଥିତି ସଂଗୀନ ହେବାର ଆଶଙ୍କା ଦେଖାଦେଇଛି । ଭାରତରେ ଗତ ରବିବାର ୫ଟି ନୂଆ ଓମିକ୍ରନ ମାମଲା ଦେଖାଦେଇଥିଲା । ଏହାକୁ ମିଶାଇ ଭାରତରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୮ରେ ପହଞ୍ଚିଛି ।