ଦେଶରେ ଏବେ ବି ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ସରିନି

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ମାମଲା ଲଗାତାର ବଢ଼ୁଥିଲେ ମଧ୍ୟ ଦେଶରେ ଏବେ ବି ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣ ‌ଶେଷ ହୋଇନି। ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏଯାଏଁ ଦେଶରେ ଆରମ୍ଭ ହୋଇନି ବୋଲି ଜସଲକ୍‌ ହସ୍ପିଟାଲ୍‌ର ମେଡିକାଲ୍‌ ରିସର୍ଚ୍ଚ ନିର୍ଦ୍ଦେଶକ ଡ. ରାଜେଶ ପାରିଖ ଇଣ୍ଡିଆ ଟୁଡେ’ର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଛନ୍ତି। ଡ. ରାଜେଶ କହିଛନ୍ତି, ଦେଶରେ ଏବେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ବି ଶେଷ ହୋଇନାହିଁ। ତେଣୁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି ବୋଲି କହିବାର ପ୍ରଶ୍ନ ଉଠୁନାହିଁ। ତେବେ ସଂକ୍ରମଣ ବଢ଼ିବା ସହ ଆମକୁ ଆହୁରି ଅଧିକ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଭାରତ ଅପେକ୍ଷା ଆମେରିକାରେ ଏବେ ଅଧିକ ସଂକ୍ରମଣ ମାମଲା ଥିଲେ ମଧ୍ୟ ଆଗକୁ ଭାରତରେ ଟେଷ୍ଟିଂ ବଢ଼ିଲେ, ସଂକ୍ରମଣ ବଢ଼ିବ ବୋଲି ସେ କହିଛନ୍ତି। ଯଦି ଏତିକି ସଂଖ୍ୟାରେ ଆମେ ବିଚଳିତ ହୋଇପଡ଼ିବା ତେବେ ଆଗକୁ ଆମକୁ ଅଧିକ କଷ୍ଟଦାୟକ ସ୍ଥିତିର ସାମ୍ନା କରିବାକୁ ପଡ଼ିବ। ଆମକୁ ଏହା ମନେ ରଖିବାକୁ ପଡ଼ିବ ଯେ, ଭାରତ ଏବଂ ବିଶ୍ବ ଅତି ଜଟିଳ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ୧୦୦ ବର୍ଷ ପୂର୍ବେ ଅନ୍ୟ ଏକ ମହାମାରୀ ସମୟରେ କେବଳ ଭାରତରେ ୧.୫ କୋଟି ଲୋକ ମରିଥିଲେ। ସେହିପରି ପୋଲିଓ ଦିନେ ଭାରତରେ ଏକ ପ୍ରମୁଖ ମହାମାରୀ ଥିଲା। କିନ୍ତୁ ଆଜି ପରିସ୍ଥିତି ବଦଳିଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର