ପ୍ରଥମ ରାଜବଂଶୀୟ ଭାବେ କରୋନାରେ ସ୍ପେନ ରାଣୀଙ୍କ ମୃତ୍ୟୁ, ସେପଟେ କରୋନା ସହ ଲଢ଼ୁଛନ୍ତି ବ୍ରିଟେନର ଯୁବରାଜ ଚାର୍ଲସ

ନୂଆଦିଲ୍ଲୀ : କରୋନା ଭୂତାଣୁ କବଳିତ ହୋଇ ବିଶ୍ବର ପ୍ରଥମ ରାଜବଂଶଜ ଭାବେ ମୃତ୍ୟୁମୁଖରେ ପଡ଼ିଛନ୍ତି ସ୍ପେନର ରାଣୀ । କରୋନା ସଂକ୍ରମିତ  ସ୍ପେନର ରାଣୀ ୮୬ ବର୍ଷିୟା ମାରିଆ ଟେରେସା ଚିକିତ୍ସାଧୀନ ଥିଲେ। ପ୍ୟାରିସରେ ତାଙ୍କର ପରଲୋକ ଘଟିଛି। ରାଜକୀୟ ରୀତିନୀତିରେ ତାଙ୍କର ଅନ୍ତିମ ସଂସ୍କାର ମାଦ୍ରିଦରେ ସଂପନ୍ନ ହୋଇଛି । ତେବେ ତାଙ୍କ ପରଲୋକ ସ୍ପେନ୍ ରାଜପରିବାରରେ ଶୋକର ଛାୟା ଖେଳାଇ ଦେଇଛି ।

ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ତେବେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚାର୍ଲସଙ୍କ ମୁଖପାତ୍ର କହିଛନ୍ତି । କେବଳ ସେ ନୁହେଁ ଯୁବରାଣୀ କାମିଲା ପାର୍କରଙ୍କର ମଧ୍ୟ ପରୀକ୍ଷା ହୋଇଥିଲା, କିନ୍ତୁ ସେ ସଂକ୍ରମିତ ହୋଇ ନଥିବା ଜଣାଯାଇଛି । ଡ୍ୟୁକ ଅଫ କର୍ନଓ୍ୱାଲ ଭାରେ ପରିଚିତ ପ୍ରିନ୍ସ ଚାର୍ଲସଙ୍କ ନମୁନା ପରୀକ୍ଷା ପଜିଟିଭ ବାହାରି ଥିଲେ ମଧ୍ୟ ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି ଓ ସେ ନିଜର ସ୍ୱାଭାବିକ କାର୍ଯ୍ୟ କରୁଛନ୍ତି । ତେବେ ସେ ସ୍କଟଲାଣ୍ଡରେ ଏକାନ୍ତବାସରେ ରହୁଛନ୍ତି ବୋଲି ତାଙ୍କ ଅଫିସ ପକ୍ଷରୁ କୁହାଯାଇଛି ।

Fox Business

ତେଣେ ବକିଙ୍ଗହାମ୍ ରାଜପ୍ରାସାଦର ଜଣେ କର୍ମଚାରୀ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ରାଣୀ ଦ୍ୱିତୀୟ ଏଲିଜାବେଥ୍ ସେଠାରୁ ଅନ୍ୟତ୍ର ଚାଲିଯାଇଛନ୍ତି । ପ୍ରତିଷେଧାତ୍ମକ ବ୍ୟବସ୍ଥାସ୍ୱରୂପ ୯୩ ବର୍ଷୀୟା ରାଣୀଙ୍କୁ ଗୁରୁବାର ଦିନ ୱିଣ୍ଡସର କ୍ୟାସେଲକୁ ସ୍ଥାନାନ୍ତର କରାଯାଇଛି । ରାଣୀ ସେଠାରେ ଅନିର୍ଦ୍ଦିଷ୍ଟ କାଳଯାଏଁ ରହିବେ । ତାଙ୍କର ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କଥା ଜଣାପଡ଼ିଛି । ରାଣୀ ବକିଙ୍ଗହାମ ପ୍ରାସାଦରେ ଥିବାବେଳେ ସମ୍ପୃ୍କ୍ତ ରାଜ କର୍ମଚାରୀଜଣକ କରୋନାଭାଇରସ ସଂକ୍ରମିତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା । କିନ୍ତୁ, ସେ କେତେଦୂର ରାଣୀଙ୍କ ସହ ମିଳାମିଶା କରିଛନ୍ତି, ତାହା ଜଣାପଡ଼ିନାହିଁ । ସେ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଛି ।

ସମ୍ବନ୍ଧିତ ଖବର