ଭୁବନେଶ୍ବର: ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ବିଜ୍ଞପ୍ତି ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଆଜି ଜାରି କରାଯାଇଛି । କେନ୍ଦ୍ର ଗୃହ ସଚିବ  ଅଜୟ କୁମାର ଭଲ୍ଲା ଆଜି ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଗୃହ ସଚିବ ଆବେଦନକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ  ନାଗରିକତା (ସଂଶୋଧନ) ନିୟମ, ୨୦୨୪ ର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ଉପରେ ଆଲୋକପାତ କରିଥିଲେ। ଏହି ଆଲୋଚନା ଚକ୍ରରେ ଡାକ ସଚିବ, ନିର୍ଦ୍ଦେଶକ (ଆଇବି), ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Advertisment

ଭାରତ ସରକାର ୧୧ ମାର୍ଚ୍ଚ ୨୦୨୪ରେ ନାଗରିକତା ସଂଶୋଧନ ନିୟମ, ୨୦୨୪ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ନିୟମରେ ଆବେଦନ ଫର୍ମର ପଦ୍ଧତି, ଜିଲ୍ଲାସ୍ତରୀୟ କମିଟି (ଡିଏଲସି) ଦ୍ୱାରା ଆବେଦନ ପ୍ରକ୍ରିୟା ଏବଂ ରାଜ୍ୟସ୍ତରୀୟ କ୍ଷମତାପ୍ରାପ୍ତ କମିଟି (ଇସି) ଦ୍ୱାରା ନାଗରିକତା ଯାଞ୍ଚ ଏବଂ ଅନୁମତି ପ୍ରଦାନ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ନିୟମ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଠାରୁ ଯେଉଁମାନେ ଧର୍ମ ଆଧାରରେ ନିର୍ଯାତନା କାରଣରୁ କିମ୍ବା ଏଭଳି ନିର୍ଯାତନାର ଭୟରେ ୩୧.୧୨.୨୦୧୪ ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିଛନ୍ତି ସେମାନଙ୍କ ଠାରୁ ଆବେଦନ ଗ୍ରହଣ କରାଯାଇଛି।

ପଦନାମିତ ଅଧିକାରୀମାନଙ୍କ ରୂପରେ ବରିଷ୍ଠ ଡାକ ଅଧୀକ୍ଷକ/ଡାକ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି (ଡିଏଲ୍‌ସି) ଦସ୍ତାବିଜର ସଫଳ ଯାଞ୍ଚ କରି ଆବେଦନକାରୀମାନଙ୍କ ପ୍ରତି ନିଷ୍ଠାର ଶପଥ ପାଠ କରାଇଛନ୍ତି। ନିୟମ ଅନୁଯାୟୀ ପ୍ରକ୍ରିୟାକରଣ କରିବା ପରେ ଡିଏଲସିଗୁଡ଼ିକ ନିର୍ଦ୍ଦେଶକ (ଜନଗଣନା ସଂଚାଳନ) ଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ କ୍ଷମତାପ୍ରାପ୍ତ କମିଟିକୁ ଆବେଦନଗୁଡ଼ିକୁ ପଠାଇଛନ୍ତି। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ କରାଯାଇଥାଏ।

ନିର୍ଦ୍ଦେଶକ (ଜନଗଣନା ସଂଚାଳନ) , ଦିଲ୍ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଅଧିକାରପ୍ରାପ୍ତ କମିଟି ଉଚିତ ଯାଞ୍ଚ ପରେ ୧୪ ଜଣ ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ ନିର୍ଦ୍ଦେଶକ (ଜନଗଣନା ସଂଚାଳନ) ଏହି ଆବେଦନକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି।