ନୂଆ ଲୋକସଭାର ପ୍ରଥମ ଅଧିବେଶନ: ଶପଥ ନେଲେ ୨୮୦

୨୬ରେ ବାଚସ୍ପତି ନିର୍ବାଚନ, ବୁଧବାର ନାମ ଘୋଷଣା କରିପାରନ୍ତି ମୋଦୀ

ନୂଆଦିଲ୍ଲୀ: ନିର୍ବାଚନ ଫଳ ପ୍ରକାଶ ଏବଂ ମୋଦୀ ସରକାରଙ୍କ ତୃତୀୟ ପାଳିର ନୂଆ ମନ୍ତ୍ରିମଣ୍ଡଳ ଗଠନର କିଛିଦିନ ପରେ ଆଜି ୧୮ଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପ୍ରୋଟେମ୍‌ (ଅସ୍ଥାୟୀ) ବାଚସ୍ପତି ଭାବେ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଥିଲେ। ଏହା ପରେ ସଂସଦରେ ଶ୍ରୀ ମହତାବ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଂସଦ ଭାବେ ଶପଥପାଠ କରାଇଥିଲେ। ପ୍ରଥମ ଦିନରେ ପ୍ରାୟ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଅବଶିଷ୍ଟ ପ୍ରାୟ ୨୬୦ ସାଂସଦ ଆସନ୍ତାକାଲି ଶପଥ ନେବେ। ସଂସଦ ଭିତରକୁ ପ୍ରବେଶ କରିବା ପୂର୍ବରୁ ଗଣମାଧ୍ୟମକୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଜରୁରିକାଳୀନ ପରିସ୍ଥିତିକୁ ଏକ କଳାଦାଗ ବୋଲି କହିଛନ୍ତି। ସଂସଦରେ ବିରୋଧୀ ଦଳ ତା’ର ଭୂମିକା ତୁଲାଇବ।

୨୬ରେ ବାଚସ୍ପତି ନିର୍ବାଚନ
ବୁଧବାର ନାମ ଘୋଷଣା କରିପାରନ୍ତି ମୋଦୀ
୨୭ରେ ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି

ଲୋକମାନେ ସ୍ଲୋଗାନ ଚାହାନ୍ତି ନାହିଁ ବରଂ କିଛି ଅର୍ଥପୂର୍ଣ୍ଣ କାର୍ଯ୍ୟ ଚାହାନ୍ତି। ‌ସଂସଦରେ ବିରୋଧୀମାନେ ବିଶୃଙ୍ଖଳା ନକରି ବିତର୍କ ଏବଂ କାର୍ଯ୍ୟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅସ୍ଥା‌ୟୀ ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କ ନିଯୁକ୍ତିକୁ ବିରୋଧୀ ଦଳ ଚଳିତ ଅଧିବେଶନରେ ପ୍ରସଙ୍ଗ କରିବ। ଏହି ପଦରେ କେରଳରୁ ସଂସଦକୁ ୮ଥର ନିର୍ବାଚିତ ହୋଇଥିବା କେ ସୁରେଶଙ୍କୁ ନିଯୁକ୍ତି କରିବା ଲାଗି କଂଗ୍ରେସ ଯୁକ୍ତି ବାଢ଼ି ଆସୁଥିଲା। ଭର୍ତ୍ତୃହରିଙ୍କୁ ଏଥିପାଇଁ ନିଯୁକ୍ତ କରାଯାଇଥିବାରୁ କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରୁଛି। ଏଭଳି ସ୍ଥିତିରେ ଆସନ୍ତା ୨୬ ତାରିଖରେ ଲୋକସଭାର ବାଚସ୍ପତି ନିର୍ବାଚନ ହେବେ। ସେ ପର୍ଯ୍ୟନ୍ତ ଅସ୍ଥାୟୀ ବାଚସ୍ପତି ଲୋକସଭାର କାର୍ଯ୍ୟ ପରିଚାଳନା କରିବେ। ବାଚସ୍ପତି ଏବଂ ଉପବାଚସ୍ପତି ନିର୍ବାଚନ ମଧ୍ୟ ଅସ୍ଥାୟୀ ବାଚସ୍ପତି ପରିଚାଳନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ବୁଧବାର ନୂଆ ବାଚସ୍ପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି। ଜୁନ ୨୭ ତାରିଖରେ ସଂସଦର ମିଳିତ ଅଧିବେଶନ ହେବ। ସେହିିଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧିତ କରିବେ। ଆସନ୍ତା ୫ ବର୍ଷ ପାଇଁ ନୂଆ ସରକାରଙ୍କ ନକ୍ସା ସଂପର୍କରେ ରାଷ୍ଟ୍ରପତି ଉଲ୍ଲେଖ କରିପାରନ୍ତି। ଜୁଲାଇ ୩ ତାରିଖରେ ସଂସଦର ଏହି ସ୍ବତନ୍ତ୍ର ଅଧିବେଶନ ଶେଷ ହେବ।

ଏନ୍‌ଟିଏ ଦ୍ବାରା ପରିଚାଳିତ ନିଟ୍‌ ଏବଂ ୟୁଜିସି ଦ୍ବାରା ପରିଚାଳିତ ନେଟ୍‌ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ବିରୋଧୀ ଚଳିତ ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ କରିବା ସମ୍ଭାବନା ରହିଛି। ନିଟ୍‌ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ସରକାର ଅକଳରେ ପଡ଼ିଛନ୍ତି। ଏନ୍‌ଟିଏର ମହାନିର୍ଦ୍ଦେଶକ ସୁବୋଧ ସିଂହଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ମହାନିର୍ଦ୍ଦେଶକ ଭାବେ ପ୍ରଦୀପ ଖରୋଲାଙ୍କୁ ସରକାର ନିଯୁକ୍ତ କରିଛନ୍ତି। ଏଥିସହିତ ଏନ୍‌ଟିଏର କାର୍ଯ୍ୟାବଳିର ସମୀକ୍ଷା ସହିତ ପରୀକ୍ଷାରେ ସଂସ୍କାର ଆଣିବା ଲାଗି ଏକ ୭ ଜଣିଆ କମିଟି ସରକାର ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର