ନୂଆଦିଲ୍ଲୀ: ସିଆଲକୋଟ୍ରେ ପାସରୁର୍ ସେନାଛାଉଣୀ ଅଞ୍ଚଳରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବୃଥା ଦାବି କରିଛନ୍ତି ଯେ ୧୯୭୧ ଯୁଦ୍ଧର ବଦ୍ଲା ପାକିସ୍ତାନ ନେଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆଦମପୁର ବାୟୁସେନା ଘାଟିରେ ଉଦ୍ବୋଧନ ଦେବା ପରଦିନ ଶେହବାଜ ଏଭଳି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେହି ସମୟରେ ଶେହବାଜ୍ ଭାରତକୁ ଆଉ ଏକ ଯୁଦ୍ଧର ଧମକ ଦେବା ପରେ କାଶ୍ମୀର ଏବଂ ସିନ୍ଧୁ ଜଳ ରାଜିନାମା ସଂପର୍କରେ ଆଲୋଚନା ପାଇଁ ମୋଦୀଙ୍କୁ ଆହ୍ବାନ କରିଥିଲେ। ମୋଦୀଙ୍କ ନାମ ନେଇ ଶେହବାଜ କହିଥିଲେ ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା। ଯଦି ଆପଣ ପୁନର୍ବାର ଆମକୁ ଆକ୍ରମଣ କରନ୍ତି ତାହେଲେ ସବୁକିଛି ହରାଇବ। ଏହାପରେ ସେ ତାଙ୍କ ସ୍ବର ବଦଳାଇ ଦେଇଥିଲେ। ଆମେ ଯୁଦ୍ଧ ଏବଂ ଆଲୋଚନା ପାଇଁ ରାଜି ଅଛୁ। ପସନ୍ଦ ଆପଣଙ୍କର ବୋଲି ସେ କହିଥିଲେ। ଭାରତ ପକ୍ଷରୁ ସିନ୍ଧୁ ଜଳ ରାଜିନାମା ସ୍ଥଗିତ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ କହିଥିଲେ ଆମକୁ ନିର୍ଦ୍ଦେଶ ଦିଅନାହିଁ। ପାଣି ହେଉଛି ଆମ ଲାଲ ରେଖା। ଏହି ପାଣି ଅନ୍ୟତ୍ର ପ୍ରେରଣ ପାଇଁ ଚିନ୍ତା ବି କରନାହିଁ। ପାଣି ଏବଂ ରକ୍ତ ଏକାଠି ବୁହେ ନାହିଁ ବୋଲି ସେ କହିଥିଲେ।
ଶେହବାଜ ଏହା ମଧ୍ୟ ଦାବି କରିଥିଲେ ଯେ ଭାରତ ନୀଲମ-ଝେଲମ ଜଳ ପ୍ରକଳ୍ପକୁ ଆକ୍ରମଣ କରିଛି। ଯଦି କ୍ଷତି ବଡ଼ଧରଣର ହେଇଥାନ୍ତା ତାହେଲେ ଆମେ ବାଗଲିହାର ସମେତ ବଡ଼ ବଡ଼ ଡ୍ୟାମ ନଷ୍ଟ କରିଦେଇଥାନ୍ତୁ। ଅନ୍ୟପକ୍ଷରେ ପାକ୍ ଅଧିକୃତ କାଶ୍ବୀରରେ ନୀଲମ-ଝେଲମ ପ୍ରକଳ୍ପ ନିକଟରେ ପାକିସ୍ତାନର କୌଣସି ଡ୍ୟାମକୁ ଟାର୍ଗେଟ୍ କରାଯାଇ ନଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଛି। ଏପ୍ରକାର ଦାବି ଡାହା ମିଛ ବୋଲି ଭାରତ କହିଛି।