କରୋନା ମହାମାରୀରେ ପ୍ରଭାବିତ ହେଲା ମିଳିତ ଜାତିସଂଘ; ପ୍ରଥମ ଥର ପାଇଁ ସାଧାରଣ ଅଧିବେଶନରେ ଯୋଗ ଦେଇ ପାରିବେନି ବିଶ୍ୱନେତା

ନ୍ୟୁୟର୍କ: କରୋନା ମହାମାରୀ ମିଳିତ ଜାତିସଂଘକୁ ମଧ୍ୟ ପ୍ରଭାବିତ କରିଛି। ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କରୋନା ବା କୋଭିଡ୍‌-୧୯ ମହାମାରୀ ହେତୁ ଚଳିତ ବର୍ଷ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜାତିସଂଘର ସାଧାରଣ ସଭା ଅଧିବେଶନରେ ଯୋଗ ଦେବାକୁ ବିଶ୍ୱ ନେତାମାନେ ନ୍ୟୁୟର୍କ ଆସିିବେ ନାହିଁ ବୋଲି ଜାତିସଂଘ ସାଧାରଣ ସଭାର ସଭାପତି ଘୋଷଣା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମିଳିତ ଜାତିସଂଘ ସାଧାରଣ ସଭାର ୭୫ ତମ ଅଧିବେଶନ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ତେବେ, ଏଥିରେ ଅଂଶଗ୍ରହଣ କରିବାକୁ ବିଶ୍ୱ ନେତାମାନେ ନ୍ୟୁୟର୍କକୁ ଆସିପାରିବେ ନାହିଁ। କାରଣ, ବିଶ୍ୱନେତାମାନେ ଏକକ ବ୍ୟକ୍ତି ବିଶେଷ ଭାବରେ ଆସିପାରିବେ ନାହିଁ।
ଜାତିସଂଘ ସାଧାରଣ ସଭାର ସଭାପତି କହିଛନ୍ତି ଯେ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ସହିତ ତାଙ୍କ କାର୍ଯ୍ୟାଳୟ ସାଧାରଣ ବିତର୍କକୁ ସୁନିଶ୍ଚିତ କରିବା ପାଇଁ ଦୃଷ୍ଟି ରଖି କାର୍ଯ୍ୟ କରୁଥିଲା। କିନ୍ତୁ, କରୋନା ମହାମାରୀର ବ୍ୟାପକତାକୁ ଦୃଷ୍ଟିରେ ରଖି ରାଷ୍ଟ୍ରମୁଖ୍ୟମାନେ ସାଂପ୍ରତିକ ପରିସ୍ଥିତିରେ ନ୍ୟୁୟର୍କ ଆସନ୍ତୁ ବୋଲି ଆମେ ଚାହୁଁନାହୁଁ। ଅନ୍ୟପକ୍ଷରେ ସେପ୍ଟେଟର ବେଳକୁ ସ୍ଥିତିରେ ସୁଧାର ଆସିଥିବା ସମ୍ଭାବନା କ୍ଷୀଣ।
କିନ୍ତୁ, ସାଧାରଣ ସଭା ଭବିଷ୍ୟତ ତାରିଖକୁ ସ୍ଥାନାନ୍ତରିତ ହୋଇପାରିବ ନାହିଁ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ହିଁ ଅନୁଷ୍ଠିତ ହେବ। ତେବେ, ବିଗତ ୭୪ ବର୍ଷ ଧରି ଯେପରି ବ୍ୟକ୍ତିଗତ ଭାବେ ହେଉଥିଲା, ସେପରି ହୋଇପାରିବ ନାହିଁ। ଜାତିସଂଘର ସାଧାରଣ ସଭା କିପରି ଅନୁଷ୍ଠିତ ହେବ ସେନେଇ ଜାତିସଂଘ ସଚିବାଳୟ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ଆଲୋଚନା କରୁଛନ୍ତି ଏବଂ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏସଂପର୍କରେ ଏକ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର