ତିରୁବନ୍ନାମଲାଇ: ତିରୁବନ୍ନାମଲାଇ ଜିଲ୍ଲାର ଜଭାଧୁ ହିଲର ଜଣେ ଆଦିବାସୀ ମହିଳା ବିଚାରପତି ହୋଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଉକ୍ତ ଆଦିବାସୀ ମହିଳା ବିଚାରପତିଙ୍କ ନାମ ଶ୍ରୀପଥୀ ଓ ବୟ୍ରସ ୨୩ବର୍ଷ ବୋଲି ଜଣାପଡ଼ିଛି।
ଶ୍ରୀପଥୀଙ୍କ ପାଠପଢ଼ା ବିଷୟରେ କହିବାକୁ ଗଲେ ସେ ୟେଲାଗିରି ହିଲରେ ପାଠପଢ଼ିବା ପରେ ବିଏବିଏଲ ଆଇନ ପାଠ୍ୟକ୍ରମ ସମାପ୍ତ କରିଥିଲେ। ପାଠପଢ଼ା ସମୟରେ ତାଙ୍କର ବିବାହ ହୋଇଯାଇଥିଲା। ଏହାପରେ ବି ସେ ନିଜ ଲକ୍ଷ୍ୟ ପଥରୁ ଓହରି ନଥିଲେ। ଯେତେବେଳେ ବି ସମୟ ମିଳେ ତାହାକୁ ସେ ପାଠପଢ଼ାରେ ଲଗାଇ ଦେଇଥାଆନ୍ତି। ଏହି ପରିଶ୍ରମର ଫଳ ତାଙ୍କୁ ମିଳିଯାଇଛି। ସେ ନିଜ ଲକ୍ଷ୍ୟପଥରେ ପହଞ୍ଚି ଯାଇଛନ୍ତି।
ଗତ ବର୍ଷ ଟିଏନପିଏସସି ସିଭିଲ୍ ଜଜ୍ ପରୀକ୍ଷା (ତାମିଲନାଡୁ ରାଜ୍ୟ ନ୍ୟାୟିକ ସେବା) ଆୟୋଜିତ ହୋଇଥିଲା। ତେବେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଶ୍ରୀପଥୀଙ୍କ ପରୀକ୍ଷା ତାରିଖ ଓ ପ୍ରସବ ତାରିଖ ଗୋଟିଏ ଦିନରେ ପଡ଼ି ଯାଇଥିଲା। ଯେଉଁ କାରଣରୁ ସେ ଚିନ୍ତାରେ ପଡ଼ିଯାଇଥିଲେ। କିନ୍ତୁ ଭଗବାନଙ୍କ କୃପାରୁ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଶ୍ରୀପଥୀଙ୍କ ପ୍ରସବ ହୋଇଥିଲା। ଏହାପରେ ପରୀକ୍ଷା ଦେଇ ପାରିବେ ବୋଲି ଖୁବ ହୋଇଯାଇଥିଲେ ଶ୍ରୀପଥୀ। ପ୍ରସବର ଦ୍ବିତୀୟ ଦିନରେ ସ୍ୱାମୀ, ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କ ସହାୟତାରେ ସମସ୍ତ ଯନ୍ତ୍ରଣାକୁ ସହି ଶ୍ରୀପଥୀ ସିଭିଲ୍ ଜଜ୍ ପରୀକ୍ଷା ଦେବାକୁ ଚେନ୍ନାଇରେ ଯାଇ ପହଞ୍ଚି ଯାଇଥିଲେ।
ନିକଟରେ ଟିଏନପିଏସସି ସିଭିଲ୍ ଜଜ୍ ପରୀକ୍ଷା ଫଳ ବାହାରିଛି। ଏଥିରେ ଶ୍ରୀପଥୀ ସଫଳ ହୋଇଥିବା ଜଣାପଡ଼ିଛି। ଏହି ସଫଳତା ପାଇବା ପରେ ମାତ୍ର୨୩ ବର୍ଷ ବୟସରେ ଶ୍ରୀପଥୀ ହେଉଛନ୍ତି ତାମିଲନାଡୁର ପ୍ରଥମ ଆଦିବାସୀ ମହିଳା ବିଚାରପତି। ଏହି ସଫଳତା ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଜଜ୍ ଶ୍ରୀପଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।