କ୍ୟାପ୍ଟେନ ଫାତିମା ୱାସିମ୍ ଭାରତୀୟ ସେନାର ପ୍ରଥମ ମହିଳା ମେଡିକାଲ ଅଫିସର ଭାବେ ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅରର ଅପରେସନ୍ ପୋଷ୍ଟରେ ନିଯୁକ୍ତି ପାଇଛନ୍ତି। ଭାରତୀୟ ସେନାର ଫାୟାର୍ ଆଣ୍ଡ୍ ଫ୍ୟୁରି କର୍ପସ ସୋସିଆଲ ମିଡିଆରେ ଏହା ଘୋଷଣା କରିଥିବାବେଳେ ସେନା ମଧ୍ୟରେ ଲିଙ୍ଗଗତ ତାରତମ୍ୟକୁ ଦୂର କରିବାରେ କ୍ୟାପଟେନ ଫାତିମାଙ୍କ ନିଯୁକ୍ତି ଏକ ନୂଆ ଇତିହାସ ସୃଷ୍ଟି କରିଛି। ଫାୟାର୍ ଆଣ୍ଡ୍ ଫ୍ୟୁରି କର୍ପସ ଆହୁରି ମଧ୍ୟ କହିଛି ଯେ, ସିଆଚେନ୍ ବ୍ୟାଟଲ୍ ସ୍କୁଲରେ କଠୋର ତାଲିମ ନେବା ପରେ ତାଙ୍କୁ ୧୫,୨୦୦ ଫୁଟ ଉଚ୍ଚରେ ସେନାର ଅପରେସନାଲ୍ ପୋଷ୍ଟରେ ଅବସ୍ଥାପିତ କରାଯାଇଛି।
ଏହା ପୂର୍ବରୁ ସେହି ମାସ ଆରମ୍ଭରେ ସ୍ନୋ ଲିଓପାର୍ଡ ବ୍ରିଗେଡ୍ର କ୍ୟାପ୍ଟେନ ଗୀତିକା କୌଲ ଭାରତୀୟ ସେନାରେ ପ୍ରଥମ ମହିଳା ଚିକିତ୍ସା ଅଧିକାରୀ ଭାବେ ସିଆଚେନ୍ର ୧୫,୬୦୦ ଫୁଟ୍ ଉଚ୍ଚରେ ଥିବା ଯୁଦ୍ଧକ୍ଷେତ୍ରରେ ନିଯୁକ୍ତ ହୋଇଥିଲେ। ତେବେ ଫାତିମାଙ୍କ ସିଆଚେନ୍ରେ ନିଯୁକ୍ତି ହେବା ପଛରେ ତାଙ୍କର କାର୍ଯ୍ୟ ପ୍ରତି ଗଭୀର ଆତ୍ମବିଶ୍ବାସ ଓ କଠୋର ପରିଶ୍ରମ ତଥା ଦୃଢ଼ ମନୋବଳ ହିଁ ତାଙ୍କୁ ଏ କ୍ଷେତ୍ରରେ ସଫଳ କରିଛି।
ଉଲ୍ଲେଖଯୋଗ୍ୟ, ଉତ୍ତର ହିମାଚଳ ପ୍ରଦେଶରେ ଅବସ୍ଥାପିତ ସିଆଚେନ୍ ଗ୍ଲାସିଅର୍ ଭାରତର ସର୍ବୋଚ୍ଚ ଓ ବିଶ୍ବର ଦ୍ବିତୀୟ ସର୍ବୋଚ୍ଚ ଗ୍ଲାସିଅର୍। ସିଆଚେନ୍ରେ ଯୁଦ୍ଧର ଆଶଙ୍କା ସବୁବେଳେ ଲାଗି ରହିଥାଏ ଏବଂ ଏହାର ପରିବର୍ତ୍ତନଶୀଳ ଭୟଙ୍କର ଥଣ୍ଡା ଜଳବାୟୁ ପ୍ରତି ମୁହୂର୍ତ୍ତରେ ନାନା ରକମର ଚାଲେଞ୍ଜ ଓ ବାଧା ସୃଷ୍ଟି କରିଥାଏ। ଫାୟାର୍ ଆଣ୍ଡ୍ ଫ୍ୟୁରି କର୍ପସକୁ ଆନୁଷ୍ଠାନିକ ଭାବରେ ୧୪ଶ କର୍ପସ କୁହାଯାଏ। ଏହା ମୁଖ୍ୟତଃ ପାକିସ୍ତାନ ଓ ଚୀନ୍ ଉପରେ ନଜର ରଖିବା ସହିତ ସିଆଚେନ୍ ଗ୍ଲାସିଅର୍ର ସୁରକ୍ଷା ମଧ୍ୟ କରିଥାଏ।