ଭାରତୀୟ ନୌସେନାରେ ପ୍ରଥମ ମହିଳା ପାଇଲଟ୍‌

କନ୍ନୁର: ଇଣ୍ଡିଆନ୍‌ ନାଭାଲ୍‌ ଏକାଡେମିରୁ ତାଲିମ୍‌ ପାଇବା ପରେ ପ୍ରଥମ ଥର ପାଇଁ ନୌବାହିନୀରେ ନିଯୁକ୍ତି ପାଇଛନ୍ତି ଜଣେ ମହିଳା ପାଇଲଟ୍‌ ଏବଂ ତିନି ଜଣ ମହିଳା ଅଫିସର୍‌।

ବୁଧବାର ଦିନ ଏଝିମାଲା ଠାରେ ଥିବା ଇଣ୍ଡିଆନ୍‌ ନାଭାଲ୍‌ ଏକାଡେମିର ପାସିଙ୍ଗ୍‌ ଆଉଟ୍‌ ସେରିମନିରେ ସେମାନଙ୍କୁ ନିଯୁକ୍ତି ମିଳିଛି। ଇଣ୍ଡିଆନ୍‌ ନାଭାଲ୍‌ ଏକାଡେମିରୁ ୩୨୮ ଜଣ ନେଭି କ୍ୟାଡେଟ୍‌, ଇଣ୍ଡିଆନ୍‌ କୋଷ୍ଟ୍‍ ଗାର୍ଡ ଏବଂ ତାଞ୍ଜାନିଆର ଓ ମାଲଡିଭ୍‌ସ୍‌ରୁ ୨ ଜଣ କ୍ୟାଡେଟ୍‌ ଏଠାରୁ ସଫଳତାର ସହ ପାଠ୍ୟକ୍ରମ ଶେଷ କରିଥିଲେ।

ଉତ୍ତର ପ୍ରଦେଶ ଅନ୍ତର୍ଗତ ବରେଲିର ଝିଅ ଶୁଭାଙ୍ଗୀ ସ୍ୱରୂପ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ୍‌ ଭାବେ ନିଯୁକ୍ତି ପାଇଛନ୍ତି। ସେ ହାଇଦ୍ରାବାଦରେ ଥିବା ଦୁନ୍‌ଦିଗାଲ୍‌ ଏୟାର୍‌ ଫୋର୍ସ ଏକାଡେମିରୁ ତାଲିମ ନେବେ।

ଆସ୍ଥା ସେଗାଲ୍‌, ରୂପା ଏ ଏବଂ ଶକ୍ତିମୟ ଏସ୍‌ଙ୍କୁ ନାଭାଲ୍‌ ଆର୍ମାମେଣ୍ଟ୍‌ ଇନ୍‌ସ୍‌ପେକ୍ସନ୍‌ ବ୍ରାଞ୍ଚ୍‌ରେ ଅଧିକାରୀ ପଦରେ ନିଯୁକ୍ତି ମିଳିଛି। ପ୍ରତିରକ୍ଷା ବିଭାଗରେ ଅଧିକରୁ ଅଧିକ ମହିଳା ଯୋଗ ଦେବାକୁ ଚାହୁଁ ଥିବାରୁ ଏହି ସଫଳତା ତାଙ୍କ ପାଇଁ ପ୍ରେରଣା ହେବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର