ନୂଆଦିଲ୍ଲୀ: ବିହାରର ବିଭିନ୍ନ ଜିଲ୍ଲାରେ ମାଛଚାଷ କରୁଥିବା ଚାଷୀ ତଥା ମନରୋଗା ସହିତ ଜଡ଼ିତ ଶ୍ରମିକମାନଙ୍କୁ ଦିଲ୍ଲୀରେ ଆୟୋଜିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

Advertisment

ଏହି କ୍ରମରେ ଖଗଡିଆ ଜିଲ୍ଲାର ଅଲୋଲି ଅଞ୍ଚଳସ୍ଥ କାମାଥାନ ଗ୍ରାମରେ ବସବାସ କରୁଥିବା ଦମ୍ପତିଙ୍କୁ ପିଏମଓ ପକ୍ଷରୁ ନିମନ୍ତ୍ରଣ ଆସିଛି। ଦିଲ୍ଲୀରେ ଆୟୋଜିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଏହି ଦମ୍ପତିଙ୍କ ପାଖକୁ ମୋଦୀ ବିମାନ ଟିକେଟ ବି ପଠାଇଛନ୍ତି। ଏହି ଦମ୍ପତି ମାଛ ଚାଷ କରିବା ସହିତ ଗାଁ ଗାଁ ବୁଲି ମାଛ ବି ବିକ୍ରି କରି ଥାଆନ୍ତି। ଏହି ମାଛ ବିକ୍ରି କରି ଦମ୍ପତି ପରିବାର ଚଳାଇଥାଆନ୍ତି। ପ୍ରଥମେ ଏହି ଦମ୍ପତିଙ୍କୁ ପରିବାର ଚଳାଇବାରେ ବହୁତ କଷ୍ଟ ହେଉଥିଲା। ଧୀରେଧୀରେ ଦମ୍ପତି ମାଛ ଚାଷ କରିବା ଆରମ୍ଭ କରିଥିଲେ। ଏବେ ଏଥିରୁ ଦୁହେଁ ଭଲ ଦୁଇପଇସା ରୋଜଗାର କରି ପାରୁଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଏଭଳି ଚିଠି ପାଇବା ପରେ ଦମ୍ପତି ଖୁବ ଖୁସି ହୋଇଯାଇଛନ୍ତି। ଜୀରା ଦେବୀ ଓ ଅର୍ଜୁନ ମୁଖିଆ  ଏହି ଖୁସି ଖବର ପାଇବା ପରେ କହିଛନ୍ତି, ‘ଆମେ ଦୁହେଁ କେବେ ଦିଲ୍ଲୀ ଯାଇନାହୁଁ, କି ବିମାନ ଯାତ୍ରା କରିନାହୂଁ। ଏସବୁକୁ ଆମେ ସ୍ବପ୍ନରେ ସୁଦ୍ଧା କେବେ ଦେଖି ନାହୁଁ। ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଆମ ଦୁଇଜଣଙ୍କୁ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ମୋଦୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ।’