କୋମାଘାଟ ହ୍ରଦରେ ମାଛ ମଡ଼କ

ବେଙ୍ଗାଲୁରୁ : କର୍ଣ୍ଣାଟକର କେନ୍‌ଗେରି ସହର ଉପକଣ୍ଠରେ ଥିବା କୋମାଘାଟ ହ୍ରଦରେ ମାଛ ମଡ଼କ ଦେଖାଦେଇଛି। ଆଜି ଏହି ହ୍ରଦରେ ପାଖାପାଖି ୫୦ ହଜାରରୁ ଊର୍ଦ୍ଧ୍ବ ମାଛ ମରି ଭାସୁଥିବାର ଦେଖାଯାଇଥିଲା। ପ୍ରଦୂଷଣ କାରଣରୁ ମାଛମାନଙ୍କର ମୃତ୍ୟୁ ହୋଇଛି ବୋଲି ଉକ୍ତ ହ୍ରଦରେ ମାଛ ଚାଷ ପାଇଁ ଟେଣ୍ଡର ନେଇଥିବା ଉଦ୍ୟୋଗୀ ଭେଙ୍କଟେଶ ଭି. କହିଛନ୍ତି। ସୂଚନାଯୋଗ୍ୟ, ଏହି ହ୍ରଦର ଚାରିକଡ଼େ ଶତାଧିକ କଳକାରଖାନା ଗଢ଼ି ଉଠିଛି। ଏସବୁ କଳକାରଖାନାର ମଇଳା ଆବର୍ଜନା ଏହି ହ୍ରଦକୁ ଯାଇଥାଏ। ୩୭ ଏକର ଜମି ଉପରେ ଏହି ହ୍ରଦଟି ଅବସ୍ଥିତ। ଉତ୍କଟ ପ୍ରଦୂଷଣ କାରଣରୁ ହ୍ରଦରେ ମାଛଗୁଡ଼ିକ ମରି ଭାସୁଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ବର୍ଷ ମଧ୍ୟରେ ଦୁଇଥର ଏଭଳି ଘଟଣା ଘଟିଲାଣି। ଏହା ପୂର୍ବରୁ ମଧ୍ୟ ଏହି ହ୍ରଦରେ ବହୁସଂଖ୍ୟାରେ ମାଛ ମରିଥିଲେ। ଉତ୍କଟ ପ୍ରଦୂଷଣ ଯୋଗୁଁ ହ୍ରଦ ଜଳରେ ଅମ୍ଳଜାନର ପରିମାଣ ଅସ୍ବାଭାବିକ ଭାବେ ହ୍ରାସ ପାଇବା ଯୋଗୁ ମାଛଙ୍କର ମୃତ୍ୟୁ ହୋଇଛି ବୋଲି ପରିବେଶବିତ୍‌ ରାମପ୍ରସାଦ ଭି. କହିଛନ୍ତି।

ସମ୍ବନ୍ଧିତ ଖବର