ଫିଟ୍ ଇଣ୍ଡିଆ କୁଇଜ୍: ଓଡ଼ିଶାରୁ ଜିତିଲେ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍ ସ୍କୁଲର କନିଷ୍କ ଓ ହ୍ଵିପ୍ କୁମାର ବେହେରା

ନୂଆଦିଲ୍ଲୀ: ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି । ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ । ରାଜ୍ୟ ରାଉଣ୍ଡରେ ଓଡ଼ିଶାରୁ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍ ସ୍କୁଲ ଦୀପଶିଖାର କନିଷ୍କ ଓ ହ୍ଵିପ୍ କୁମାର ବେହେରା ବିଜୟୀ ହୋଇଛନ୍ତି ।

ଫେବ୍ରୁଆରି ଏବଂ ମାର୍ଚ୍ଚ ମାସରେ ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ରାଉଣ୍ଡର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟତାପ୍ରାପ୍ତ ୩୫୯ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ସେମାନେ ନିଜ ନିଜ ରାଜ୍ୟସ୍ତରରେ ଚାମ୍ପିଅନ ହେବା ଲାଗି ପ୍ରତିଯୋଗିତା କରିଥିଲେ । ପ୍ରତ୍ୟେକ ରାଜ୍ୟ ଚାମ୍ପିଅନମାନଙ୍କୁ ୨.୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରତିଯୋଗୀଙ୍କ ପାଇଁ ୨୫ ହଜାର ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗୀମାନେ ଫିଟ ଇଣ୍ଡିଆର ପରବର୍ତ୍ତୀ ଜାତୀୟ ପ୍ରତିଯୋଗିତାରେ ନିଜ ରାଜ୍ୟ ତରଫରୁ ଅଂଶଗ୍ରହଣ କରିବେ ।

ରାଜ୍ୟ ପ୍ରତିଯୋଗିତା ଫାଇନାଲରେ ସେମାନଙ୍କ ରାଜ୍ୟରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରଥମ ଏବଂ ଦ୍ବିତୀୟ ରନର୍ସ ଅପ୍ଙ୍କୁ ୧.୧ ଲକ୍ଷ ଟଙ୍କା (ଛାତ୍ରଙ୍କୁ ୧୦ ହଜାର+ବିଦ୍ୟାଳୟକୁ ୧ ଲକ୍ଷ) ଏବଂ ୫୫ ହଜାର ଟଙ୍କା (ଛାତ୍ରଙ୍କୁ ୫ ହଜାର + ବିଦ୍ୟାଳୟକୁ ୫୦ ହଜାର) ଦିଆଯାଇଛି ।

୩୬ଟି ସ୍କୁଲ ଦଳ (ପ୍ରତ୍ୟେକ ରାଜ୍ୟ ଏବଂ/କିମ୍ବା କେନ୍ଦ୍ର ଶାସିତ ପ୍ରଦେଶର ବିଜେତା) ଏବେ ଜାତୀୟ ରାଉଣ୍ଡରେ ଅଂଶଗ୍ରହଣ କରିବେ । ଫିଟ୍ ଇଣ୍ଡିଆ ପ୍ରତିଯୋଗିତାର ଜାତୀୟ ରାଉଣ୍ଡ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏହା ଷ୍ଟାର ସ୍ପୋର୍ଟସ୍ ଏବଂ ବିଭିନ୍ନ ସୋଶାଲ ମିଡିଆ ଚ୍ୟାନେଲରେ ପ୍ରସାରଣ କରାଯିବ ।

ଜାତୀୟ କୁଇଜ୍ ପ୍ରତିଯୋଗିତାର ବିଜେତା ପ୍ରତିଯୋଗୀ ସେମାନଙ୍କ ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ଅର୍ଥରାଶି ପୁରସ୍କାର ସ୍ବରୂପ ଜିତିବେ। ତାଙ୍କୁ ଦେଶର ପ୍ରଥମ ଫିଟ୍ ଇଣ୍ଡିଆ କୁଇଜ୍ ପ୍ରତିଯୋଗିତାର ଚାମ୍ପିଅନ ମାନ୍ୟତା ମିଳିବ ।

ସମ୍ବନ୍ଧିତ ଖବର