ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ କମାଇଲା ଫିଚ୍‌

ନୂଆଦିଲ୍ଲୀ- ଭାରତର ଅଭିବୃଦ୍ଧି ହାର ସଂପର୍କରେ ମୁଡିସ୍‌ ଓ ଏସଏଣ୍ଡପିର ବିପରୀତ ମତ ପୋଷଣ କରିଛି ବିଶ୍ୱର ପ୍ରମୁଖ କ୍ରେଡିଟ୍‌ ରେଟିଂ ଏଜେନ୍ସି ଫିଚ୍‌ ।  ଚଳିତ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୭ ପ୍ରତିଶତକୁ ଖସି ଆସିବ ବୋଲି କହିଛି ଏହି ସଂସ୍ଥା । ପୂର୍ବରୁ ଅଭିବୃଦ୍ଧି ହାର ୬.୯ ପ୍ରତିଶତ ରହିବ ବୋଲି ଫିଚ୍‌ ପୂର୍ବାନୁମାନ କରିଥିଲା । ପୁଣି ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୩ ପ୍ରତିଶତକୁ କମିବ ବୋଲି ମଧ୍ୟ କହିଛି ଫିଚ୍‌ ।

ଭାରତୀୟ ଜିଡିପି ଅଭିବୃଦ୍ଧିର ସୁଧାର ପ୍ରକ୍ରିୟା ଦୂର୍ବଳ ରହିଛି ବୋଲି ନିଜ ରିପୋର୍ଟରେ ଏଜେନ୍ସି କହିଛି । ତେବେ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ଆର୍ଥିକ ସଂସ୍କାର ପ୍ରକ୍ରିୟା ଫଳରେ ଅର୍ଥନୀତିର ମୂଳଭିତ୍ତି ଦୃଢ ହେବ ଓ ଏହାର ସୁଫଳ ପରବର୍ତ୍ତି ଦୁଇ ଆର୍ଥିକ ବର୍ଷରେ ମିଳିବ ।

ଫିଚ୍‌ ପକ୍ଷରୁ କୁହାଯାଇଛି ଯେ ବିମୁଦ୍ରାୟନ ଓ ଜିଏସଟି କାର୍ଯ୍ୟକାରୀକୁ ନେଇ ରହିଥିବା ଅସ୍ଥିରତା ଫଳରେ ବିଗତ କିଛି ତ୍ରୈମାସରେ ଅଭିବୃଦ୍ଧି ହାର ଧୀମା ହୋଇଛି ।

କିଛିଦିନ ତଳେ ବିଶ୍ୱର ପ୍ରମୁଖ କ୍ରେଡିଟ୍‌ ରେଟିଂ ଏଜେନ୍ସି ମୁଡିସ୍‌ ଭାରତର କ୍ରେଡିଟ୍‌ ରେଟିଂ ରେ ସୁଧାର ଆଣିଥିଲା । ସେହିପରି ଅନ୍ୟତମ ପ୍ରମୁଖ କ୍ରେଡିଟ୍‌ ରେଟିଂ ଏଜେନ୍ସି ଏସ୍‌ଏଣ୍ଡପି ଭାରତର କ୍ରେଡିଟ୍‌ ରେଟିଂକୁ ବିବିବି ମାଇନସରେ ଅପରିବର୍ତ୍ତିତ ରଖିଥିଲା ।

କିଛିଦିନ ତଳେ ଜାରି ସରକାରୀ ଆଗୁଆ ଅଟକଳ ଅନୁସାରେ ଚଳିତ ଆର୍ଥିକ ବର୍ଷର ୨ୟ ତିନିମାସ ଅର୍ଥାତ ଜୁଲାଇ-ସେପ୍ଟେମ୍ବରରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧିରେ ଉନ୍ନତି ଆସିଛି । ଏହି ତିନିମାସରେ ଜିଡିପି ଅଭିବୃଦ୍ଧି ୬.୩ ପ୍ରତିଶତ ରହିଛି, ଯାହାକି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ ଅର୍ଥାତ୍ ଏପ୍ରିଲ-ଜୁନରେ ୫.୭ ପ୍ରତିଶତ ଥିଲା । ୨ୟ ତିନିମାସରେ ଜିଡିପି ଅଭିବୃଦ୍ଧିକୁ ଅନେକ ମହଲରୁ ବେଶ ଗୁରୁତ୍ୱ ଦିଆଯାଉଛି । କାରଣ ଗତ ଜୁଲାଇ୧ରେ ସାରା ଦେଶରେ ଜିଏସଟି ବ୍ୟବସ୍ଥା ଲାଗୁ ହେବା ପରେ ଏହା ହେଉଛି ପ୍ରଥମ ଜିଡିପି ତଥ୍ୟ ।

ସମ୍ବନ୍ଧିତ ଖବର