ନୂଆଦିଲ୍ଲୀ: ଗତ ଏପ୍ରିଲ୍ ମାସରେ ୱାକଫ୍ ବିଲ୍କୁ ନେଇ ବିଜେଡିରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ବିଲ୍କୁ ବିରୋଧ କରିବ ବୋଲି ଆରମ୍ଭରୁ କହି ଆସୁଥିବା ବିଜେଡି ଶେଷ ମୂହୁର୍ତ୍ତରେ ପଲଟିଯାଇଥିଲା। ସାଂସଦମାନଙ୍କ ବିବେକ ଉପରକୁ ନିଷ୍ପତ୍ତି ଛାଡ଼ିଦେଇଥିଲା। ବିଲ୍ ସପକ୍ଷରେ କିଏ ଓ ବିପକ୍ଷରେ କିଏ ଭୋଟ୍ ଦେଇଥିଲେ, ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳି ନଥିଲା। ରାଜ୍ୟସଭାର ‘ଅଫିସିଆଲ୍ ଭର୍ସନ ଅଫ୍ ଡିବେଟ୍ସ’ରେ ଏହା ସ୍ପଷ୍ଟ କରାଯାଇଛି। ୱାକଫ୍(ସଂଶୋଧନ) ବିଲ୍କୁ ବିଜେଡିର ୫ ଜଣ ସାଂସଦ ସମର୍ଥନ କରି ଭୋଟ୍ ଦେଇଥିଲେ। ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ଶୁଭାଶିଷ ଖୁଣ୍ଟିଆ ଓ ମାନସ ରଞ୍ଜନ ମଙ୍ଗରାଜ ବିଲ୍ ସମର୍ଥନରେ ଭୋଟ୍ ଦେଇଥିଲେ। ଏକମାତ୍ର ସାଂସଦ ମୋଜିବୁଲ୍ଲା(ମୁନା) ଖାନ୍ ବିଲ୍ ବିରୋଧରେ ଭୋଟ ଦେଇଥିଲେ। ଚଳିତ ମାସ ୨୧ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ତଥ୍ୟ ପ୍ରକାଶ ପାଇଛି। ତେଣୁ ଏଥର ବିଜେଡିର ଅଭିମୁଖ୍ୟ କ’ଣ ରହିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ରାଜ୍ୟସଭା ଅଫିସିଆଲ୍ ଭର୍ସନ ଅଫ୍ ଡିବେଟ୍ସରେ ପ୍ରକାଶିତ
ଏପ୍ରିଲ୍ ମାସରେ ବିଜେଡିରେ ରାଜନୈତିକ ଝଡ଼ ବହିଥିଲା
ଗତବର୍ଷ ସାଧାରଣ ନିର୍ବାଚନର ପରାଜୟ ପରେ ବିଜେଡି ପାଇଁ ରାଜ୍ୟସଭାରେ ୱାକଫ(ସଂଶୋଧନ) ବିଲ୍ ଅଗ୍ନି ପରୀକ୍ଷା ଥିଲା। ବିଜେଡିର ଆଭିମୁଖ୍ୟ କ’ଣ ରହିବ, ତାହାକୁ ସମସ୍ତେ ଚାହିରହିଥିଲେ। ବିଲକୁ ସମର୍ଥନ କରିବ ନାହିଁ ବୋଲି ଦୁଇଦିନ ଆଗରୁ ବିଜେଡି କହିଥିଲା। ଗତ ଏପ୍ରିଲ ୩ ଅପରାହ୍ନରେ ବିଜେଡିର ସାଂସଦ ମୁନା ଖାନ ରାଜ୍ୟସଭାରେ ବିଲ୍ର ଆଲୋଚନାରେ ପ୍ରବଳ ବର୍ଷିଥିଲେ। ଦଳ ପକ୍ଷରୁ ହ୍ବିପ୍ ଜାରି କରାଗଲା ନାହିଁ। ସାଂସଦମାନଙ୍କ ବିବେକାନୁମୋଦିତ ମତ ଉପରେ ମତଦାନ ଛାଡିଦିଆଯିବା ନେଇ ସସ୍ମିତ ପାତ୍ର ‘ଏକ୍ସ’ରେ ଲେଖିଥିଲେ। ଭୋଟିଂରେ ବିଜେଡି ଦୁଇଭାଗ ହୋଇଯାଇଥିବା ଜଣାପଡ଼ିଥିଲା। ବିଲ୍ ସମର୍ଥନରେ ଭୋଟ ଦେଇଥିବା ନେଇ ଶ୍ରୀ ପାତ୍ର ଖୋଲାଖୋଲି କହିଥିଲେ। ଅନ୍ୟମାନେ ଏହାକୁ ସ୍ପଷ୍ଟ କରି ନଥିଲେ। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଭୋଟିଂ ବେଳେ ଅନୁପସ୍ଥିତ ଥିଲେ। କେଉଁ ପରିସ୍ଥିତିରେ ବିଜେଡି ନେତୃତ୍ବ ବିଜେପିକୁ ସମର୍ଥନ କରିଥିଲା, ତାହାକୁ ନେଇ ବିଜେଡିରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ନବୀନ ନିବାସରେ ଘନଘନ ବୈଠକ ହୋଇଥିଲା। ବିବେକାନୁମୋଦିତ ଭୋଟିଂ ନବୀନଙ୍କ ନିଷ୍ପତ୍ତି ଥିଲା ନା ନାହିଁ, ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଥିଲା। ଦଳର ନିଷ୍ପତ୍ତିକୁ ଅନେକ ନେତା ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ବିଜେପି-ବିଜେଡି ଡିଲ୍ ଅଭିଯୋଗ ଆଣି କଂଗ୍ରେସ ମଧ୍ୟ ଟାର୍ଗେଟ୍ କରିଥିଲା। କିନ୍ତୁ ବିଜେଡି ଶୀର୍ଷ ନେତୃତ୍ବ କିଛି ସନ୍ତୋଷଜନକ ଦେଇନଥିଲେ।