ତାମିଲନାଡୁ ଶଙ୍କରପୁରମ୍ସ୍ଥିତ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ୫ ମୃତ; ୧୦ରୁ ଅଧିକ ଆହତ
କଲ୍ଲାକୁରିଚୀ: ମଙ୍ଗଳବାର ରାତିରେ ତାମିଲନାଡୁର କଲ୍ଲାକୁରିଚୀ ଜିଲ୍ଲା ଅନ୍ତର୍ଗତ ଶଙ୍କରପୁରମ୍ସ୍ଥିତ ଗୋଟାଏ ପାଇକାରୀ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟି ୫ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୧୦ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ପୋଡ଼ିଯାଇ ଆହତ ହୋଇଛନ୍ତି।
ଉପରୋକ୍ତ ବାଣ ଦୋକାନକୁ ଲାଗିଥିବା ଅନ୍ୟ ଦୋକାନଗୁଡ଼ିକୁ ବି ନଆଁ ବ୍ୟାପି ଯାଇଥିଲା। ଦୋକାନରେ ଥିବା ‘ଏଲ୍ପିଜି’ ସିଲିଣ୍ଡର୍ ଫାଟି ଯିବାରୁ ନଆଁ ହୁତୁ ହୁତୁ ହୋଇ ଜଳିଥିଲା।
ଦୀପାବଳି ଲାଗି ଆତସବାଜୀ ବା ବାଣ ଖରିଦ କରିବାକୁ ସେ ଦୋକାନରେ ଗହଳି କରିଥିବା ଲୋକମାନଙ୍କ ମଧ୍ୟରୁ କିଛି ପୋଡ଼ି ଆହତ ହୋଇଛନ୍ତି। ସାଂଘାତିକ ଆହତ ହୋଇଥିବା ୧୦ଜଣରୁ ଅଧିକ ବ୍ୟକ୍ତିଙ୍କୁ ତୁରନ୍ତ ‘କଲ୍ଲାକୁରିଚୀ ଗଭର୍ଣ୍ଣନ୍ମେଣ୍ଟ୍ ଜେନେରାଲ୍ ହସ୍ପିଟାଲ୍’କୁ ନିଆଯାଇଥିଲା।

ନିଆଁ ଲିଭାଇବାକୁ ଘଟଣାସ୍ଥଳକୁ କଲ୍ଲାକୁରିଚୀ ଏବଂ ତିରୁକୋଇଲ୍ୟୁର୍ରୁ ଦମକଳ ଯାଇଥିଲା। ରିପୋର୍ଟ ଲେଖାଯିବା ବେଳେକୁ ଏହି ଅଘଟଣରେ ମୃତାହତ ହୋଇଥିବା ବାଣ ଦୋକାନ ଓ ଆଖପାଖ ଦୋକାନର ଅଳ୍ପ କେତେକ କର୍ମଚାରୀଙ୍କର ପରିଚୟ ମିଳିପାରି ନ ଥିଲା। ଅଗ୍ନିକାଣ୍ଡ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଯାନବାହନ ଚଳାଚଳ ବାଧା ପାଇଥିଲା।
ଦୁର୍ଘଟଣା ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଶୋକବ୍ୟକ୍ତ କରିବା ସହ ମୃତବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।