ବିପତ୍ତି ବେଳର ବିଡ଼ମ୍ବନା: ୫ ଦିନ ଚାଲି ଭୋକିଲା ଓ ଥକିଲା, ଘର ଆହୁରି ୮୦୦ କିମି

ହାଇଦ୍ରାବାଦ: ଅନବରତ ଭାବରେ ଏନ୍‌ଏଚ୍‌-୪୪ରେ ୫ ଦିନ ଚାଲିଲା ପରେ ପ୍ରବାସୀ ଶ୍ରମିକମାନଙ୍କର ଏକ ୨୦ଜଣିଆ ଦଳ ବକ୍ତଟେ ଗରମ ଖାଦ୍ୟ ଭୋଜନ କରିଛନ୍ତି। ନିଜାମାବାଦର ପେରକିଟ୍‌ ଛକରେ ଶୁକ୍ରବାର ସଂଧ୍ୟାରେ ସେହି ପଦଯାତ୍ରୀ ଶ୍ରମିକ ଦଳ ମୁଠାଏ ଭୋଜନ କରିଥିଲେ ସୁଦ୍ଧା ସେମାନଙ୍କ ଗନ୍ତବ୍ୟ ସ୍ଥଳ ଆହୁରି ୮୦୦ କିମି ଦୂର ରହିଛି। ଚେନ୍ନାଇରୁ ଚାଲିଚାଲି ତେଲେଙ୍ଗାନାରେ ପହଞ୍ଚିବା ପରେ ଏବେ ପୁଣି ଚାଲିବାରେ ଲାଗିଛନ୍ତି। ସେମାନେ ମଧ୍ୟପ୍ରଦେଶର ସତ୍‌ନା ଯିବେ ବୋଲି ସେହି ଦଳର ୨୮ ବର୍ଷୀୟ ସଦସ୍ୟ ରାମକୁମାର ଯୋଶୀ କହିଛନ୍ତି। ନିଜାମାବାଦ ପର୍ଯ୍ୟନ୍ତ ସେମାନେ ବିସ୍କୁଟ ଖାଇ ଓ ପାଣି ପିଇ ପିଇ ଆସିଥିଲୋ।

ଯଥେଷ୍ଟ ଖାଇ ନଥିବାରୁ ଆଖିକୁ ଜାଲୁଜାଲୁଆ ଦିଶୁଛି ବୋଲି ଦଳର ଜଣେ ସଦସ୍ୟ କହିଥିଲେ। ସେମାନେ ଚେନ୍ନାଇର ଏକ ନିର୍ମାଣ ସ୍ଥଳରେ କାମ କରୁଥିଲେ। ସେମାନେ ଲକ୍‌ଡାଉନ୍‌ ଉଠିବା ପରେ ପୁଣି ଖଟିବେ, ଖାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ବାରମ୍ବାର ଲକ୍‌ଡାଉନ୍‌ ସଂପ୍ରସାରଣ ହେବାରୁ ସେମାନଙ୍କର ସବୁ ଆଶା ମଉଳି ଯାଇଥିଲା। ତାହା ପରେ ସ୍ଥିର କଲେ ଯେମିତି ବି ହେଉ ଘରକୁ ଫେରିଯିବେ। ଅଶୋକ ଲାଲ୍‌ ନାମକ ଆଉ ଜଣେ ଶ୍ରମିକ କହିଛନ୍ତି ଯେ ପରିସ୍ଥିତି କେବେ ସ୍ୱାଭାବିକ ହେବ, ତାହ ଅନିଶ୍ଚିତ। ରାଜ୍ୟ ସରକାର କି କେନ୍ଦ୍ର ସରକାର କେହି ଆମ ପାଇଁ କିଛି କରିନାହାନ୍ତି। ନହେଲେ ଆମେ କାହିଁକି ଚାଲିଚାଲି ଚେନ୍ନାଇରୁ ସତ୍‌ନା ଯାଉଥାଆନ୍ତୁ? ସେମାନଙ୍କୁ ଘରେ ପହଞ୍ଚିବାକୁ ଆହୁରି ପାଞ୍ଚଦିନ ଲାଗିବ। ଶୁଖିଲା ଋତୁ ପାଇଁ ଏହା ସହଜ ହେଉଛି, ନଚେତ୍‌ ଏ ଦଶାରୁ ଅନ୍ୟ ଦଶା ବଳିଯାଆନ୍ତା।

ସମ୍ବନ୍ଧିତ ଖବର