ମିରଟ: ବୁଧବାର ବିଳମ୍ବିତ ରାତ୍ରୀରେ ଦିଲ୍ଲୀ ରୋଡ୍ରେ ଜଣେ ସାଇକେଲ୍ ଚାଳକଙ୍କ ଉପରେ ଭ୍ୟାନ୍ ଚଢ଼ାଇଦେବା ପରେ ଦ୍ରୁତ ଗତିରେ ପଳାଇ ଯିବାକୁ ଉଦ୍ୟମ କରିବା ବେଳେ ୫ ଜଣ ନିହତ ହେବା ସହ ଡଜନାଧିକ ଲୋକ ଆହତ ହୋଇଛନ୍ତି। ଏହାଛଡ଼ା ସେ କେତୋଟି ଦୁଇଚକିଆ ଗାଡ଼ି ଓ ରିକ୍ସାକୁ ମଧ୍ୟ ଧକ୍କା ଦେଇଛନ୍ତି।
ଘଟଣାଟି ଅଧରାତି ବେଳକୁ ଘଟିଛି। ପାର୍ସଲ୍ ଭ୍ୟାନ୍ ଚଳାଇ ସହର ମଧ୍ୟକୁ ପ୍ରବେଶ କରୁଥିବା ଜଣେ ଭ୍ୟାନ୍ଚାଳକ ମୋଖାମପୁର ଶିଳ୍ପାଞ୍ଚଳ ନିକଟରେ ଜଣେ ସାଇକେଲ୍ବାଲା ଉପରେ ଗାଡ଼ି ଚଢ଼ାଇ ଦେଇଥିଲା ବୋଲି ପୁଲିସ କହିଛି। ଦ୍ରୁତ ଗତିରେ ଘଟଣାସ୍ଥଳରୁ ଖସି ଯିବାକୁ ଉଦ୍ୟମ କରି ସେ ସ୍ଫୋରିକ୍ସ ମଲ୍ ପାଖରେ ଜଣେ ସ୍କୁଟର୍ବାଲାକୁ ଧକ୍କା ଦେବା ପରେ ଏବଂ ଦିଲ୍ଲୀ ଚୁଙ୍ଗି ନିକଟରେ ଗୋଟାଏ ମାଂସ ବୋଝେଇ ଭ୍ୟାନ୍କୁ ଧକ୍କା ଦେଇଥିଲେ। ଫଳରେ ରାସ୍ତାଯାକ କଞ୍ଚା ମାଂସ ବିଛାଡ଼ି ହୋଇ ପଡ଼ିଥିଲା।
ଛାନିଆ ହୋଇ ଯାଇଥିବା ସେ ଡ୍ରାଇଭର୍ ଭ୍ୟାନ୍ର ବେଗକୁ ଆହୁରି ବଢ଼ାଇ ଦେବାରୁ ବାଗପତ ରୋଡ୍ରେ ଅଳ୍ପ କେତୋଟି ରିକ୍ସାକୁ ଧକ୍କା ଦେବା ପରେ ଓଲଟି ପଡ଼ିଥିଲା। ଫଳରେ ଭ୍ୟାନ୍ ତଳେ ୫/୬ ଜଣ ରିକ୍ସାବାଲା ଓ ସେଥିରେ ଥିବା ଯାତ୍ରୀ ଚାପି ହୋଇ ଯାଇଥିଲେ। ଚାପି ହୋଇ ରହିଥିବା ଲୋକମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଓ ଅନ୍ୟମାନେ ଧାଇଁ ଆସିଥିଲେ।
ଡ୍ରାଇଭରକୁ ବହେ ମାରଧର କରି ପୁଲିସରେ ଦେଇଥିଲେ।
ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରଣବିଜୟ ସିଂହ ସଦଳବଳ ସେଠାରେ ପହଞ୍ଚି ଆହତ ଲୋକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ। ଶବଗୁଡ଼ିକ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/image-2.jpg)