ଶ୍ରୀନଗର: ଉତ୍ତର ଭାରତର କେତେକ ସ୍ଥାନରେ ପାଗରେ ବ୍ୟାପକ ପରିବର୍ତନ ପରିଲକ୍ଷିତ ହେଉଛି। ହିମାଚଳରେ ଭୂସ୍ଖଳନ ଓ ପ୍ରବଳ ବର୍ଷା ସହ କାଶ୍ମୀରରେ ତୁଷାରପାତ ଓ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ଅଞ୍ଚଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତୁଷାରପାତ ଯୋଗୁଁ ଜମ୍ମୁର ବିଭିନ୍ନ ଅଞ୍ଚଳ ସୁରନକୋଟ, ଉଧମପୁର, ରିୟାସି ଓ ପୁଞ୍ଚରେ ଅତି କମ୍ରେ ୫ ଜଣଙ୍କର ମୃତ୍ୟୁ ଘଟିଛି।
କାଶ୍ମୀରକୁ ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ସଂଯୋଗ କରୁଥିବା ଏକମାତ୍ର ରାସ୍ତା ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥକୁ ମଧ୍ୟ ଯାନବାହନ ଚଳାଚଳ ପାଇଁ ବନ୍ଦ କରି ଦିଆଯାଇଛି। ଜଣେ ଟ୍ରାଫିକ୍ ପୁଲିସ ଅଧିକାରୀ କହିଛନ୍ତି ଯେ ରାମସୁ ଓ କାଜିଗୁଣ୍ଡ ମଧ୍ୟରେ ବରଫ ଜମା ହେବା ସହିତ ନାଶରୀ ଓ ନବଯୁଗ ଟନେଲ ମଧ୍ୟରେ ପଥର ଓ ମାଟି ଖସିବା କାରଣରୁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଅବରୋଧ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅଞ୍ଚଳରେ ଏକ ବିରଳ ଘଟଣା ହୋଇଥିବା ତୁଷାରପାତକୁ ନେଇ ଅଞ୍ଚଳର ଚାଷୀମାନେ ଖୁସି ବ୍ୟକ୍ତ କରିଛନ୍ତି। ପୂର୍ବରୁ ହୋଇଥିବା ତୁଷାରପାତ ଯୋଗୁ ଆର୍ଥିକ କ୍ଷୟକ୍ଷତି ହୋଇଥିଲା, କିନ୍ତୁ ବର୍ତ୍ତମାନର ବର୍ଷା ସେମାନଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେଉଛି। ଲାହୋଲ ଓ ସ୍ପିତି ମଧ୍ୟ ଏକ ଘନ ବରଫ ଚଦରରେ ଘୋଡ଼େଇ ହୋଇଛି, ଯେଉଁଠାରେ ପୁଣି ଥରେ ପ୍ରବଳ ତୁଷାରପାତ ହେଉଛି। ଅନ୍ୟପକ୍ଷରେ ଲାହୋଲ ଓ ସ୍ପିତି ପୁଲିସ ଏହି ଅଞ୍ଚଳ ପାଇଁ ହିମସ୍ଖଳନ ନେଇ ସତର୍କ ସୂଚନା ଜାରି କରିଛି।
ଲଗାଣ ବର୍ଷା ଓ ତୁଷାରପାତ ଯୋଗୁଁ ପ୍ରଭାବିତ ହିମାଚଳ ପ୍ରଦେଶ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମଣ୍ଡି, କାଙ୍ଗରା, କୁଲୁ ଓ ଚମ୍ବା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବରଫପାତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ବର୍ଷା ଯୋଗୁଁ ପାହାଡ଼ିଆ ରାଜ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କୁଲ୍ଲୁର ଆଖଡ଼ା ବଜାରରେ ବର୍ଷା ପାଣି ସ୍ଥାନୀୟ ଲୋକଙ୍କ ଘରେ ପଶିଛି। ଡ୍ରେନରେ ବନ୍ୟା ଯୋଗୁଁ ଅନେକ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ମନାଲିରୁ ପଠାନକୋଟ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ବନାଲାରେ ଭୂସ୍ଖଳନରେ ଫସିଯିବାରୁ ଡ୍ରାଇଭର, କଣ୍ଡକ୍ଟର ଓ ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନର କେତେକ ସ୍ଥାନରେ ପୁଣି ଥରେ ବର୍ଷା ହୋଇଥିବା ବେଳେ ଡୋଡା ଓ ଭାଲେସା ଜିଲ୍ଲାରେ ପ୍ରବଳ ତୁଷାରପାତ ହୋଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/01/PQ7wKmhtgSApLVGQZfSL.jpg)