ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦ-ଆଗ୍ରା ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । କୁନ୍ଦରକି ଥାନା ଅଞ୍ଚଳରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ କାଠ ବୋଝେଇ ଟ୍ରାକ୍ଟରକୁ ପଛପଟରୁ ଏକ ୱାଗନର କାର୍ ଶକ୍ତ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଥିବାର ସୂଚନା ମିଳିଛି । ଗୁରୁତର ଥିବା ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୁଲିସ ମାମଲା ରୁଜ୍ଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।
/sambad/media/post_attachments/wp-content/uploads/2019/09/accident90-news-first-300x113.jpg)
ମୁଂଢ଼ା ପାଣ୍ଡେ ଥାନା ଅଂଚଳର ଲୋକେ କାରରେ ନିଜର ସଂପର୍କୀୟ ଘରକୁ ଯାଇଥିଲେ ଏବଂ ସେମାନେ ଘରକୁ ଫେରିବା ବେଳେକୁ କୁନ୍ଦରକୀ ଥାନା ଅଂଚଳରେ ଗୁଲର ତିରାହେ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରାକ୍ଟରକୁ ପଛପଟରୁ ଧକ୍କା ଦେଇଥିଲେ । ଚାଳଚକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ମହିଳା, ୨ ଜଣ ପୁରୁଷ ଓ ଜଣେ ଶିଶୁର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଫୁଲ(୫୦), ରୁବି(୪୦), ଫୁଲର ପୁଅ ଗୁଡ୍ଡୁ(୨୨), ନାତି ଫାତିୟା(୪) ଏବଂ ମହମ୍ମଦ ରଫି ।