ଫ୍ଲୋରିଡା ବ୍ୟାଙ୍କ୍‌ ଗୁଳିକାଣ୍ଡରେ ୫ ମୃତ; ଆତ୍ମସମର୍ପଣ କଲେ ଅଭିଯୁକ୍ତ

ଫ୍ଲୋରିଡ଼ା: ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ସେବ୍‌ରିଙ୍ଗ୍‌ ଠାରେ ଗୋଟିଏ ବ୍ୟାଙ୍କ୍‌ରେ ଜଣେ ବନ୍ଧୁକଧାରୀ ବ୍ୟକ୍ତି ଅନ୍ୟୂନ ପାଞ୍ଚ ଜଣଙ୍କୁ ହତ୍ୟା କରିଥିବା କଥା ଗୁରୁବାର ଦିନ ପୁଲିସ କହିଛି। ପରେ ପୁଲିସ ସହ ସାଲିସ କରି ଅଭିଯୁକ୍ତ ଜଣକ ଆତ୍ମସମର୍ପଣ କରିଛନ୍ତି।

ଅଭିଯୁକ୍ତ ଜଣକ ହେଉଛନ୍ତି ୨୧ ବର୍ଷିୟ ଜିଫେନ୍‌ ଜାଭେର। ଅପରାହ୍ଣ ପ୍ରାୟ ୧୨: ୩୦ରେ ଅଭିଯୁକ୍ତ ସନ୍‌ ଟ୍ରଷ୍ଟ୍‍ ବ୍ୟାଙ୍କ୍‌ ମଧ୍ୟକୁ ପ୍ରବେଶ କରି ଗୁଳି ଚଳାଇଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେବ୍‌ରିଙ୍ଗ୍‌ ପୁଲିସ ମୁଖ୍ୟ କାର୍ଲ ହଗ୍‌ଲୁଣ୍ଡ୍‌ କହିଛନ୍ତି।

ପ୍ରକୃତ କଥା ହେଲା ଜାଭେର୍‌ ପୁଲିସକୁ ଫୋନ୍‌ କରି ବ୍ୟାଙ୍କ୍‌ ଭିତରେ ଗୁଳି ଚଳାଇଥିବା କଥା କହିଥିଲେ। ପୁଲିସ ଘଟନାସ୍ଥଳରେ ପହଞ୍ଚି ବ୍ୟାଙ୍କ୍‌ ଘେରାଉ କରିଥିଲା। ପୁଲିସ ମଧ୍ୟ ଆତ୍ମସମର୍ପଣ କରିବାକୁ ଅଭିଯୁକ୍ତଙ୍କୁ ବୁଝାଇ ଥିଲା।

ସେମାନଙ୍କର ଉଦ୍ୟମ ବିଫଳ ହେବାରୁ ହାଇଲାଣ୍ଡ୍‌ କାଉଣ୍ଟି ସେରିଫ୍‌ର ଅଫିସ୍‌ ସ୍ୱାଟ୍‌ ଟିମ୍‌ ବ୍ୟାଙ୍କ୍‌ କୋଠା ମଧ୍ୟକୁ ପ୍ରବେଶ କରିବା ସହ ବ୍ୟାଙ୍କ୍‌ରୁ ବାହାରି ଆସିବାକୁ ଅଭିଯୁକ୍ତଙ୍କୁ ବୁଝାଉଥିଲେ।

ଶେଷରେ ସେ ଆତ୍ମସମର୍ପଣ କରିଥିଲେ।

ପୁଲିସ ମୁଖ୍ୟ କାର୍ଲ ହଗ୍‌ଲାଣ୍ଡ୍‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି: ପାଞ୍ଚଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଆଜି ଦିନଟି ଆମ ସମ୍ପ୍ରଦାୟରେ ଗୋଟାଏ ବିୟୋଗାନ୍ତ ଦିନ। ନିର୍ମମ ଅପରାଧ କରିଥିବା ହିତାହିତ ଜ୍ଞାନଶୂନ୍ୟ ଅପରାଧୀ ହାତରେ ଆମେ ଅବିସ୍ମରଣୀୟ କ୍ଷତି ସହିଲୁ।

ସମ୍ବନ୍ଧିତ ଖବର