୨ ବର୍ଷର ଶିଶୁ ସମେତ‌ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ୨ ବର୍ଷର ଶିଶୁ ସମେତ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଛି। ପ୍ରୟାଗରାଜ ଜିଲ୍ଲା ଅଧୀନସ୍ଥ ଖୱାଜପୁର ଅଞ୍ଚଳରେ ଆଜି ସକାଳେ ଏହି ଘଟଣା ଘଟିଛି। ମୃତକମାନେ ହେଉଛନ୍ତି ରାମ କୁମାର ଯାଦବ (୫୫), ତାଙ୍କ ପତ୍ନୀ କୁସୁମ ଦେବୀ (୫୨), ଝିଅ ମନିଶା (୨୫), ବୋହୂ ସବିତା (୨୭) ଏବଂ ନାତୁଣୀ ମିନାକ୍ଷୀ (୨)। ଅନ୍ୟଜଣେ ନାତୁଣୀ ସାକ୍ଷୀ (୫) ବଞ୍ଚିଯାଇଛି। ଅପରାଧ ଘଟିବା ସମୟରେ ଯାଦବଙ୍କ ପୁଅ ସୁନିଲ (୩୦) ଘରେ ନଥିଲେ। ସେ ଏବେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଛନ୍ତି।

ବରିଷ୍ଠ ପୁଲିସ ଅଧିକାରୀ ଅଜୟ କୁମାରଙ୍କ ଅନୁଯାୟୀ ସମସ୍ତ ୫ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ମର ଶରୀରଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଉକ୍ତ ଘଟଣାର ତଦନ୍ତ ପାଇଁ ୭ଟି ଟିମ୍‌ ଗଠନ ହୋ‌ଇଛି। ଘଟଣାସ୍ଥଳରେ ଫରେନ୍ସିକ୍‌ ଏକ୍ସପର୍ଟ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଥମେ ଯାଦବଙ୍କ ଘରେ ନିଆଁ ଲାଗି ଯାଇଛି ବୋଲି ପୁଲିସରେ ଖବର ଦେଇଥିଲେ। ପୁଲିସ ଏବଂ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିବାପରେ ଘର ମଧ୍ୟରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଲ୍ଲେଖଯୋଗ୍ୟ , ଗତ ସପ୍ତାହରେ ମଧ୍ୟ ପ୍ରୟାଗରାଜରେ ଏଭଳି ଏକ ହତ୍ୟା ଘଟଣା ହୋଇଥିଲା। ଏପ୍ରିଲ ୧୬ ତାରିଖ‌ରେ ଖଗଲପୁର ଗ୍ରାମରେ ଜଣେ ୩୮ ବର୍ଷୀୟା ମହିଳା ପ୍ରୀତି ତିୱାରୀ ଏବଂ ତାଙ୍କ ୩ ଝିଅ ମାହି (୧୨), ପିହୁ (୮), କୁହୁ (୩)ଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ମହିଳାଙ୍କ ସ୍ବାମୀଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ସମ୍ବନ୍ଧିତ ଖବର