ସେନାକୁ ବଡ ସଫଳତା: କୁଳଗାମ ନିକଟରେ ଟିଆରଏଫ କମାଣ୍ଡର ସମେତ ୫ ଆତଙ୍କୀ ମୃତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ସେନା ତରଫରୁ ଆତଙ୍କବାଦୀଙ୍କ ଦମନ କାର୍ଯ୍ୟ ଜାରି ରହିଛି । ଏବେ ଏବେ ମିଳିଥିବା ସୂଚନା ମୁତାବକ ସେନା ଗୁଳିରେ ଦ ରେଜିଷ୍ଟାନ୍ସ ଫୋର୍ସ(ଟିଆରଏଫ) କମାଣ୍ଡର ଅଫାଖ ଶିକନ୍ଦର ସମେତ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସୂଚନା ମୁତାବକ, ସୁରକ୍ଷାବଳ ଏକ ଗୁପ୍ତ ସୂଚନା ଆଧାରରେ କୁଲଗାମର ପୋମ୍ବେ ଓ ଗୋପାଲପୁରା‌ରେ ଅପରେସନ ଆରମ୍ଭ କରିଥଲେ । ଏହି ଅପରେସନ ବେଳେ ପୋମ୍ବେରେ ୩ଜଣ ଓ ଗୋପାଲପୁରା‌ରେ ୨ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସେନା ସୂଚନା ପାଇବା ପରେ ପୁରା ଅଞ୍ଚଳକୁ ଘେରାଉ କରିଥିଲା, ଏହି ସମୟରେ ଆତଙ୍କବାଦୀମାନେ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ସେନା ଗୁଳିରେ ପ୍ରାଣ ହରାଇଛନ୍ତି । ଏହାପରେ ସେନା ତରଫରୁ ପୁରା ଅଞ୍ଚଳକୁ ସିଲ କରିଦିଆଯାଇଛି  ଓ ଟ୍ରାଫିକକୁ ସଜାଗ କରାଯାଇଛି । ଏହା ବ୍ୟତୀତ କୁଳଗାମର ଗୋପାଳପୁର ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସେଠାରେ ମଧ୍ୟ କିଛି ଆତଙ୍କବାଦୀ ଲୁଚିଥିବା ନେଇ ସେନା ଆଶଙ୍କା କରିଛି ।

ଉଲ୍ଲେଖଯୋଗ୍ୟ, କିଛିଦିନ ହେବ ସେନା ତରଫରୁ ଆତଙ୍କବାଦୀମାନଙ୍କୁ ନିପାତ କରିବା କାମ ଜାରି ରହିଛି । ଏହି କ୍ରମରେ ଶ୍ରୀନଗରର ହେଦରପୋରାଠାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହାସହ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଥିବା ୨ ଜଣ ଲୋକ ବି ଏହି ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ।

ଅନ୍ୟପଟେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ଓ ସେନା ବିଭାଗ ପକ୍ଷରୁ ଲଗାତର ବୈଠକ ଜାରି ରହିଛି । ଏହି କ୍ରମରେ ଆଜି ବି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର