ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ ୫ ଓଡ଼ିଆ

ନୂଆଦିଲ୍ଲୀ : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋମବାର ଦିନ ୫ ଜଣ ଓଡ଼ିଆଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏମାନେ ସମାଜ ସଂସ୍କାରକ ତଥା ବିଶିଷ୍ଟ ପ୍ରବଚକ ଶ୍ରୀମଦ୍‌ ବାବା ବଳିଆ, ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ, ବିଶିଷ୍ଟ କଣ୍ଠଶିଳ୍ପୀ ଡ. ଶ୍ୟାମାମଣି ଦେବୀ ଓ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁ। ବରିଷ୍ଠ ଆଇଏଏସ୍‌ ଅଧିକାରୀ ସ୍ବର୍ଗତ ଗୁରୁ ପ୍ରସାଦ ମହାପାତ୍ରଙ୍କୁ ମଧ୍ୟ ଆଜି ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ସ୍ବର୍ଗତ ମହାପାତ୍ରଙ୍କ ପତ୍ନୀ ଅଞ୍ଜଳି ମହାପାତ୍ର ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ୨୦୨୨ର ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ୬୪ ଜଣଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଚଳିତ ମାସ ୨୮ରେ ଆୟୋଜିତ ହେବ।

ସମ୍ବନ୍ଧିତ ଖବର