ରେଳ ଷ୍ଟେସନରେ ପଞ୍ଚ ତାରକା ହୋଟେଲ୍‌

ନୂଆଦିଲ୍ଲୀ : ଗୁଜରାଟ ଗାନ୍ଧୀ ନଗର ରେଳ ଷ୍ଟେସନକୁ ନୂଆ ରୂପ ଦିଆଯାଇଛି ଏବଂ ଷ୍ଟେସନ ଉପରେ ନିର୍ମିତ ଏକ ପଞ୍ଚ ତାରକା ହୋଟେଲ ଆକର୍ଷଣର କେନ୍ଦ୍ର ପାଲଟିଛି। ଯାତ୍ରୀମାନଙ୍କୁ ସ୍ବାଗତ କରିବା ପାଇଁ ଏବେ ଏହା ପ୍ରସ୍ତୁତ। ଏଠାରେ ରେଳଯାତ୍ରୀମାନଙ୍କୁ ବିମାନ ବନ୍ଦରର ଅନୁଭୂତି ମିଳିବ। ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍‌ ମୋଡ୍‌ରେ ଏହାର ଉଦ୍‌ଘାଟନ କରିବେ।

ଷ୍ଟେସନରେ ପଞ୍ଚ ତାରକା ହୋଟେଲ୍‌ ସମେତ ଥିମ୍‌ ଭିତ୍ତିକ ଆଲୋକସଜ୍ଜା, ବିଭିନ୍ନ ଧର୍ମାବଲମ୍ବୀଙ୍କ ପାଇଁ ପ୍ରାର୍ଥନା କକ୍ଷ ଏବଂ ଶିଶୁଙ୍କୁ ଦୁଗ୍ଧପାନ ପାଇଁ ପୃଥକ କକ୍ଷ ରହିଛି। ‌ରେଳ ଷ୍ଟେସନ ଉପରେ ନିର୍ମିତ ଦେଶର ପ୍ରଥମ ପଞ୍ଚତାରକା ହୋଟେଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ। ୨୦୧୭‌ ମସିହାରେ ଏହି ‌ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ଘରୋଇ ସଂସ୍ଥା ଲୀଳା ଗ୍ରୁପ୍‌ ଦ୍ବାରା ଏହି ପଞ୍ଚତାରକା ହୋଟେଲ ପରିଚାଳିତ ହେବ। ଏହି ବିଳାସପୂର୍ଣ୍ଣ ହୋଟେଲରେ ମୋଟ ୩୧୮ଟି କକ୍ଷ ରହିଛି। ୭୪୦୦ ବର୍ଗ ମିଟର ଅଞ୍ଚଳରେ ପରିବ୍ୟାପ୍ତ ଉକ୍ତ ହୋଟେଲ ନିର୍ମାଣ ପାଇଁ ୭୯୦ କୋଟି ଟଙ୍କା ବ୍ୟୟ ହୋଇଛି। ଗାନ୍ଧୀ ନଗରର ଏହା ସବୁଠୁ ଉଚ୍ଚା କୋଠା।

ହୋଟେଲର ତଳ ମହଲାଟି ଭୂମିଠାରୁ ୨୨ ମିଟର ଉପରେ ରହିବ। ରେଳ ଷ୍ଟେସନର ସ୍ବତନ୍ତ୍ର ଗେଟ୍ ବାଟେ ଏହି ହୋଟେଲ ଭିତରକୁ ଲୋକେ ପ୍ରବେଶ କରିବା ସୁବିଧା ରହିଛି। ଷ୍ଟେସନ ପରିସରରେ ୧୦୦୦ କାର, ୨୦୦ ଦୁଇ ଚକିଆ ଏବଂ ୧୦୦ ଅଟୋ ରହିବା ସୁବିଧା ରହିଛି। ଭିଡ଼ ସମୟରେ ଏହି ଷ୍ଟେସନରେ ସର୍ବାଧିକ ୧୫୦୦ ଯାତ୍ରୀ ଯାଆସ କରିବା ସୁବିଧା ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଏହି କ୍ଷମତା ୨୨୦୦କୁ ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର