ମନରେଗାରେ ଓଡ଼ିଶା ସମେତ ୫ ରାଜ୍ୟ ଅଧିକ ଖର୍ଚ୍ଚ କରିଛନ୍ତି

ନୂଆଦିଲ୍ଲୀ: ଓଡ଼ିଶା ସମେତ ୫ଟି ରାଜ୍ୟ ଚଳିତବର୍ଷ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି। କରୋନା ମହାମାରୀ ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ସ୍ଥାନରେ ନିଯୁକ୍ତି ହରାଇଥିଲେ। ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରି ଆସିଥିଲେ। ଫଳରେ ପ୍ରବାସୀ ଶ୍ରମିକବହୁଳ ରାଜ୍ୟଗୁଡ଼ିକରେ ଏହି ଖର୍ଚ୍ଚ ଅଧିକ ରହିଛି ବୋଲି ଜଣାଯାଇଛି। ଓଡ଼ିଶା ଛଡ଼ା ଅନ୍ୟ ଯେଉଁ ରାଜ୍ୟ ମନରେଗାରେ ଅଧିକ ଅର୍ଥ ଖର୍ଚ୍ଚ କରିଛି ସେଗୁଡ଼ିକ ହେଲେ ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁ।

ବିଶ୍ୱର ସର୍ବବୃହତ ନିଶ୍ଚିତ ନିଯୁକ୍ତି ଯୋଜନାକୁ ଚଳିତ ବର୍ଷ ବଜେଟ୍‌ରେ ୭୩,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। କିନ୍ତୁ ଏହି ଯୋଜନାରେ ୯୪,୯୯୪ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ଏଥିପାଇଁ ଅତିରିକ୍ତ ବଜେଟ୍‌ରେ ପାଣ୍ଠି ଯୋଗାଇ ଦିଆଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବାର୍ଷିକ ଅତି କମରେ ୧୦୦ ଦିନର କାମ ଯୋଗାଇ ଦିଆଯାଉଛି। ବିହାର ସରକାର ୨୦୧୯-୨୦ରେ ମନରେଗାରେ ୩,୩୭୧ କୋଟି ଖର୍ଚ୍ଚ କରିଥିଲେ। କିନ୍ତୁ ଚଳିତବର୍ଷ ଏହି ଯୋଜନାରେ ୫,୭୭୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ରେ କରୋନା ମହାମାରୀର ପ୍ରଥମ ଲହର ସମୟରେ ବିହାରକୁ ସର୍ବାଧିକ ପ୍ରବାସୀ ଫେରିଥିଲେ।

ମଧ୍ୟପ୍ରଦେଶ ମନରେଗା ଅଧୀନରେ ୨୦୧୯-୨୦ରେ ୪,୯୪୯ କୋଟି ଖର୍ଚ୍ଚ କରିଛି। ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରାଜ୍ୟ ୭,୩୫୪ କୋଟି ଟଙ୍କା ଖର୍ଚ୍ଚ କରିଛି, ଯାହା ୩୨%କୁ ବୃଦ୍ଧି ପାଇଛି। ୨୦୧୯-୨୦ରେ ଓଡ଼ିଶା ମନରେଗାରେ ୨,୮୩୬ କୋଟି ଖର୍ଚ୍ଚ କରିଥିଲା। ଚଳିତ ବର୍ଷ ୫,୩୭୪ କୋଟି ଟଙ୍କା ଖର୍ଚ୍ଚ କରିଛି। ପଶ୍ଚିମବଙ୍ଗ ୨୦୧୯-୨୦ରେ ୭,୪୮୦ କୋଟି ଖର୍ଚ୍ଚ କରିଥିବାବେଳେ ଚଳିତ ବର୍ଷ ୧୦,୧୧୮ କୋଟି ଖର୍ଚ୍ଚ ହୋଇଛି। ୨୦୧୯-୨୦ରେ ୫,୬୨୧ କୋଟି ତୁଳନାରେ ତାମିଲନାଡୁ ଚଳିତ ବର୍ଷ ୮,୯୬୧ କୋଟି ଟଙ୍କା ଖର୍ଚ୍ଚ କରିଛି। ଚଳିତ ବର୍ଷ ମନରେଗା ପାଇଁ ଅପ୍ରତ୍ୟାଶିତ ଖର୍ଚ୍ଚ ବୃଦ୍ଧି ପାଇବାରୁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୀମିତ ପାଣ୍ଠି ବାକି ଅଛି। ଅର୍ଥନୀତିର ଆଶା ଅନୁରୂପ ସୁଧାର ନହେବା ଏବଂ ଆର୍ଥିକ ବର୍ଷ ଆରମ୍ଭରେ ମହାମାରୀର ଦ୍ୱିତୀୟ ତରଙ୍ଗ କାରଣରୁ ବୋଲି ଦର୍ଶାଇଛନ୍ତି। ତେବେ ପରିସ୍ଥିତି ସ୍ବାଭାବିକ ହେବ ଏବଂ ଅଧିକ ଲୋକ ଭଲ ଚାକିରି ପାଇଁ ବଡ଼ ସହରକୁ ଫେରିବେ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି। ଖରାପ ସମୟରେ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ମ‌ନରେଗା ବିଶେଷ ସହାୟକ ହୋଇଛି। କିନ୍ତୁ ଏହି ଯୋଜନା ସ୍ଥାୟୀ ସମାଧାନ ହେବା ଉଚିତ୍ ନୁହେଁ। ଆମେ ସମସ୍ତେ ଚାହୁଁ ଯେ ଗ୍ରାମାଞ୍ଚଳର ଲୋକମାନେ ଅଧିକ ରୋଜଗାର କରନ୍ତୁ ଏବଂ ଅଧିକ ବେତନ ମିଳୁଥିବା ଉନ୍ନତ ସ୍ଥାନରେ କାର୍ଯ୍ୟ କରନ୍ତୁ ବୋଲି ଜନୈକ ସରକାରୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର