ଟିକେଟରୁ ବଞ୍ଚିତ ୫ ତୃଣମୂଳ ବିଧାୟକଙ୍କ ସମେତ ଜଣେ ଦଳୀୟ ପ୍ରାର୍ଥୀ ଦଳ ଛାଡ଼ି ସାମିଲ ହେଲେ ବିଜେପିରେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିଲେ ବି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତାମାନଙ୍କର ବିଜେପି ମୋହରେ ଭଟ୍ଟା ପଡ଼ିନାହିଁ। ଆଜି (ସୋମବାର) ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ପାଞ୍ଚଜଣ ଟିଏମସି ବିଧାୟକ ତଥା ଟିଏମ୍‌ସିର ପ୍ରାର୍ଥୀ ରୂପେ ଘୋଷିତ ହୋଇ ସାରିଥିବା ଜଣେ ନେତା ବିଜେପିରେ ଯୋଗ ଦେଇଛନ୍ତି।

ଟିଏମସି ବିଧାୟକ ସୋନାଲୀ ଗୁହା, ଶୀତଲ ସର୍ଦ୍ଦାର, ଦିପେନ୍ଦୁ ବିଶ୍ୱାସ, ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ଓ ଜାଟୁ ଲାହରିି କୋଲକାତାରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ଏମାନଙ୍କ ବ୍ୟତୀତ ପୂର୍ବତନ ଟିଏମସି ନେତା ସ୍ୱରାଲା ମୁର୍ମୁ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଟିଏମ୍‌ସିର ପ୍ରଥମ ପ୍ରାର୍ଥୀ ତାଲିକାରେ ହବିପୁର ନିର୍ବାଚନମଣ୍ଡଳୀରୁ ସ୍ୱରାଲା ମୁର୍ମୁଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିଲା। କିନ୍ତୁ, ପରେ ତାଙ୍କର ‘ଅସୁସ୍ଥ ସ୍ୱାସ୍ଥ୍ୟ’ ଦର୍ଶାଇ ଦଳ ତାଙ୍କ ନିକଟରୁ ଟିକେଟ ପ୍ରତ୍ୟାହାର କରିନେଇଥିଲା ଏବଂ ହବିବପୁରରୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରଦୀପ ଭାସ୍କରଙ୍କୁ ବଦଳାଇ ଦେଇଥିଲା। ଏଥର ନିର୍ବାଚନରେ ସ୍ୱାରଲା ମୁର୍ମୁ ମାଲଦା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ କିନ୍ତୁ ଟିଏମସି ତାଙ୍କୁ ହବିପୁରରୁ ପ୍ରାର୍ଥୀ ଘୋଷଣା କରିଥିଲା। ପରେ ମୁର୍ମୁ ମମତା ବାନାର୍ଜୀଙ୍କୁ ଭେଟି ତାଙ୍କ ଆସନ ବଦଳାଇବାକୁ ଅନୁରୋଧ କରିଥିଲେ।

ସେହିପରି ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦଳୀୟ ଟିକେଟ୍‌ରୁ ବଞ୍ଚିତ ହେବାପରେ ସୁପ୍ରିମୋ ମମତା ବାନାର୍ଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ଦଳର ଚାରିଥର ବିଧାୟକ ରହିଥିବା ସୋନାଲୀ ଗୁହା ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ସେ ଗତ ଚାରି ଥର ଧରି ସତଗାଚିଆ ଆସନରୁ ଟିଏମସି ବିଧାୟକ ଭାବେ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଏଥର ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା।

ଅନ୍ୟତମ ଭେଟେରାନ ଟିଏମସି ନେତା ରବୀନ୍ଦ୍ରନାଥ ଭଟ୍ଟାଚାର୍ଜ ସିଙ୍ଗୁରର ବିଧାୟକ ଥିଲେ। କିନ୍ତୁ ଏଥର ତାଙ୍କୁ ୮୫ ବର୍ଷ ବୟସ ହୋଇଥିବାରୁ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କୁ ଟିକେଟ ମିଳି ନଥିଲା। ଶିବପୁରର ଟିଏମସି ବିଧାୟକ ଥିବା ୮୪ ବର୍ଷୀୟ ଜାଟୁ ଲାହିରୀ ମଧ୍ୟ ବୟସାଧିକ୍ୟ କାରଣରୁ ଚଳିତ ନିର୍ବଚନରେ ଟିଏମ୍‌ସି ଟିକେଟରୁ ବଞ୍ଚିତ ହେବାପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର