ନୂଆଦିଲ୍ଲୀ : ଜାତୀୟ ଔଷଧ ମୂଲ୍ୟ ନିୟନ୍ତ୍ରକ ଏନ୍ପିପିଏ ଶୁକ୍ରବାର ୨୩ ପ୍ରକାର ଔଷଧର ଖୁଚୁରା ଦାମ୍ ନିର୍ଧାରଣ କରିଛନ୍ତି। ଏଥିରେ ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍ ରୋଗୀମାନେ ଖାଉଥିବା ଔଷଧର ନାମ ରହିଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଡାଇବେଟିସ୍ ରୋଗୀଙ୍କ ଔଷଧ ଗ୍ଲିକାଜାଇଡ୍ ଇଆର୍ ଓ ମେଟ୍ଫୋର୍ମିନ୍ ହାଇଡ୍ରୋକ୍ଲୋରାଇଡ୍ ଟାବ୍ଲେଟ୍ର ଖୁଚୁରା ଦାମ୍ ୧୦ ଟଙ୍କା ୩ ପଇସା ଧାର୍ଯ୍ୟ କରାଯାଇଛି।
ସେହିପରି ତେଲ୍ମିସାର୍ଟନ, କ୍ଲୋର୍ଥାଲିଡନ୍ ଓ ସିଲ୍ନିଡିପିନ୍ ଟାବଲେଟ୍ର ଦାମ୍ ୧୩ ଟଙ୍କା ୧୭ ପଇସା ଧାର୍ଯ୍ୟ କରାଯାଇଛି। ଯନ୍ତ୍ରଣା ନିବାରଣକାରୀ ଟ୍ରାଏସ୍ପିନ୍, ବ୍ରୋମେଲାଇନ୍, ରୁଟୋସାଇଡ୍ ଟ୍ରାଇହାଇଡ୍ରେଟ୍ ଓ ଡିକ୍ଲୋଫେନାକ୍ ସୋଡିଅମ୍ ଟାବଲେଟ୍ର ଦାମ୍ ୨୦ ଟଙ୍କା ୫୧ ପଇସା ଧାର୍ଯ୍ୟ କରାଯାଇଛି। ଏନ୍ପିପିଏ ପକ୍ଷରୁ କୁହାଯାଇଛି ଯେ ୧୫ ପ୍ରକାର ସିଡ୍ୟୁଲ୍ଡ ଔଷଧ ଦାମ୍ର ନିର୍ଧାରିତ ସୀମାରେ ସଂଶୋଧନ କରାଯାଇଛି। ଦୁଇଟି ସିଡ୍ୟୁଲ୍ଡ ଔଷଧ ଦାମ୍ର ସୀମା ଧାର୍ଯ୍ୟ କରାଯାଇଛି।