ତ୍ରିରଙ୍ଗା ଉଡ଼ାଇବାକୁ ବଦଳିଲା ନିୟମ, ଉଡ଼ିପାରିବ ପଲିଷ୍ଟର ପତାକା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ଫ୍ଲାଗ କୋଡ ବା ଝଣ୍ଡା ସଂହିତାରେ ପରିବର୍ତ୍ତନ କରିଛନ୍ତି, ଯେଉଁଥିରେ ତ୍ରିରଙ୍ଗାକୁ ଦିନରାତି ଉଡ଼ାଇବାକୁ ଅନୁମତି ଦିଆଯାଇଛି । କେବଳ ଏତିକି ନୁହେଁ, ବର୍ତ୍ତମାନ ପଲିଷ୍ଟର ଏବଂ ମେସିନ୍ ନିର୍ମିତ ଜାତୀୟ ପତାକା ମଧ୍ୟ ବ୍ୟବହାର କରାଯାଇପାରିବ | ‘ଆଜାଦି କା ଅମୃତ ମହୋତ୍ସବ’ ଅଧୀନରେ ସରକାର ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି, ଯାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ସମସ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲା କହିଛନ୍ତି ଯେ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ, ଉତ୍ତୋଳନ ଏବଂ ବ୍ୟବହାର ଫ୍ଲାଗ କୋଡ ଅଫ ଇଣ୍ଡିଆ, ୨୦୦୨ ଏବଂ ନ୍ୟାସନାଲ ଗୌରବ ଅଧିନିୟମ, ୧୯୭୧ ଅଧୀନରେ ଆସିଥାଏ ।

ଏହି ଚିଠି ଅନୁଯାୟୀ, ଫ୍ଲାଗ୍ କୋଡ୍ ଅଫ୍ ଇଣ୍ଡିଆ, ୨୦୦୨ରେ ଏକ ଆଦେଶରେ ସଂଶୋଧନ କରାଯାଇଛି | ଏହା ଅନୁଯାୟୀ ଜାତୀୟ ପତାକା ଖୋଲା ସ୍ଥାନରେ କିମ୍ବା କୌଣସି ନାଗରିକଙ୍କ ବାସଭବନରେ ଉଡ଼ାଇହେବ | ସେହିପରି ଏହାକୁ ଦିନରାତି ଉଡ଼ାଯାଇପାରିବ | ଏହାପୂର୍ବରୁ, ତ୍ରିରଙ୍ଗାକୁ କେବଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉଡ଼ାଇବାକୁ ଅନୁମତି ଦିଆଯାଇଥିଲା | ସେହିଭଳି ଫ୍ଲାଗ କୋଡର ଅନ୍ୟ ଏକ ବ୍ୟବସ୍ଥାରେ ସଂଶୋଧନ କରାଯାଇ କୁହାଯାଇଛି, ଯେ ବୁଣାଯାଇଥିବା ଜାତୀୟ ପତାକାକୁ କିମ୍ବା ମେସିନ୍ ତିଆରି ତ୍ରିରଙ୍ଗା ଉଡ଼ାଇହେବ । ପୂର୍ବରୁ ମେସିନ୍ ତିଆରି ଏବଂ ପଲିଷ୍ଟର ନିର୍ମିତ ଜାତୀୟ ପତାକାକୁ ବ୍ୟବହାର ଅନୁମତି ଦିଆଯାଇନଥିଲା।

ସମ୍ବନ୍ଧିତ ଖବର