ଲକ୍ଷ୍ନୌ: ଶୁକ୍ରବାର ଜନରାଜ୍ୟ ଦିବସ ପାଳନ ପାଇଁ ପଶ୍ଚିମ ଉତ୍ତରପ୍ରଦେଶର କାସଗଞ୍ଜ ସହରରେ ‘ତିରଙ୍ଗା ଯାତ୍ରା’ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଏବଂ ଅନ୍ୟ ଜଣେ ଆହତ ହେବା ପରେ ସହର ବ୍ୟାପୀ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ କର୍ପ୍ୟୁ ଜାରି କରାଯାଇଥିବା ବେଳେ ହିଂସାରେ ସଂପୃକ୍ତ ୪୯ ଜଣଙ୍କୁ ପୁଲିସ ଗିରଫ କରିସାରିଛି।
ସୂଚନାନୁଯାୟୀ, ଗତକାଲି ଜନରାଜ୍ୟ ଦିବସ ପାଳନ ପାଇଁ ଶାସକ ବିଜେପିର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଏବଂ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍ପି) ପକ୍ଷରୁ କାସଗଞ୍ଜ ସହରରେ ଏକ ବାଇକ୍ ଶୋଭାଯାତ୍ରା ହୋଇଥିଲା। ଏଥିରେ ଏବିଭିପି ଏବଂ ଭିଏଚ୍ପିର ସଦସ୍ୟମାନେ ବିଲ୍ରାମ ଗେଟ୍ ଅଞ୍ଚଳରୁ ବାଇକ୍ରେ ଜାତୀୟ ପତାକା ଧରି ‘ତିରଙ୍ଗା ଯାତ୍ରା’ରେ ସହର ପରିକ୍ରମା ଉଦ୍ଦେଶ୍ୟରେ ବାହାରିଥିଲେ। ତେବେ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନନେଇ ଏବଂ କୌଣସି ଆଗୁଆ ସୂଚନା ନଦେଇ ଏହି ବାଇକ୍ ଶୋଭାଯାତ୍ରାକାରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଯାଉଥିବା ବେଳେ ବଦୁନଗର ଠାରେ କିଛି ସ୍ଥାନୀୟ ଲୋକ ସେମାନଙ୍କୁ ପ୍ରତିରୋଧ କରିଥିଲେ। ଅପରପକ୍ଷେ, ଶୋଭାଯାତ୍ରାକାରୀଙ୍କ ଉପରକୁ ସେଠାରେ କିଛି ଅଜ୍ଞାତ ଲୋକ ପଥରମାଡ଼ କରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ଡଜନେରୁ ଅଧିକ ଗାଡ଼ି ଭଙ୍ଗାରୁଜା ହୋଇଥିବା ବେଳେ ଗୁଳିମାଡ଼ରେ ଗୋଟିଏ ଗୋଷ୍ଠୀର ଚନ୍ଦନ ଗୁପ୍ତା(୨୨)ଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଆକ୍ରମଣରେ ଅପର ଗୋଷ୍ଠୀର ନୌସାଦ ନାମକ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ଆଜି ଚନ୍ଦନଙ୍କର ଅନ୍ତିମ ସତ୍କାର ସରିବା ପରେ ସହରରେ ଅଧିିକ ହିଂସା ଘଟଣା ନଜରକୁ ଆସିଛି। ସ୍ଥାନୀୟ ଘଣ୍ଟାଘର ଅଞ୍ଚଳରେ ଉତ୍ତେଜିତ ଲୋକେ ଦୁଇଟି ଦୋକାନ ଓ ଗୋଟିଏ ବସ୍ରେ ନିଆଁ ଲଗାଇ ଦେଇଛନ୍ତି। ଗତକାଲିଠାରୁ ଜାରି ହୋଇଥିବା କର୍ଫ୍ୟୁ ଆଜି ମଧ୍ୟ ବଳବତ୍ତର ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହରବାସୀଙ୍କୁ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ପାଇଁ ଆହ୍ଵାନ କରିବା ସହ ହିଂସାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠିତ ହୋଇଥିବା ବେଳେ ଅନ୍ୟ ଦୋଷୀମାନଙ୍କୁ ଧରିବା ଲାଗି ପୁଲିସ ଛାନ୍ଭିନ୍ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/curfew-imposed-in-lakhimpur-kheri-of-uttar-pradesh-201703-1488521100.jpg)