ଚଳିତ ବର୍ଷ ଅଗଷ୍ଟ ମାସଟି ଦେଶର ପାର୍ବତ୍ୟ ରାଜ୍ୟ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁ ଓ କଶ୍ମୀର ପାଇଁ ପାଇଁ ବେଶ ଦୁଃଖଦ ଥିଲା । ଏସବୁ ରାଜ୍ୟରେ ବାଦଲଫଟା ବର୍ଷା ଓ ପ୍ରବଳ ବନ୍ୟା ଯୋଗୁଁ ଅନେକ ଲୋକ ମୃତ୍ୟୁବରଣ କରିଥିଲେ ଓ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପୂର୍ବରୁ ଏପରି ଘଟଣା ବିରଳ ଥିବାବେଳେ ଧୀରେ ଏହା ନିୟମିତଭାବେ ଘଟିଚାଲିଛି । ଚଳିତ ବର୍ଷ ଯେପର ବ୍ୟାପକଭାବେ ଏସବୁ ଦେଖାଦେଇଛି ତାହା ଚିନ୍ତାର କାରଣ ହୋଇଛି । 

Advertisment

୫ ଅଗଷ୍ଟରେ ଉତ୍ତରପ୍ରଦେଶର ଧରାଲି ଓ ହର୍ଷିଲ ଉପତ୍ୟାକାରେ ବାଦଲପଟା ବର୍ଷା ଓ ପାହାଡ଼ି ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ମାତ୍ର କିଛି ମିନିଟ ମଧ୍ୟରେ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଥିଲା ଏହି ସୁନ୍ଦର ଉପତ୍ୟାକାରେ ଥିବା ଜନବସତି । ସେହିପରି ଅଗଷ୍ଟ ୧୪ରେ ହିମାଚଳ ପ୍ରଦେଶର ସିମଲା, ଲାହୋଲ-ସ୍ପିତି ଉପତ୍ୟାକାରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ସବୁଠାରୁ ବିନାଶକାରୀ ଘଟଣା ଘଟିଥିଲା ଜାମ୍ମୁ ଓ କଶ୍ମୀରର କିସ୍ତଓ୍ବାରରେ ଯେଉଁଠାରେ ବାଦଲ ଫାଟିବା ଓ ବନ୍ୟା ଯୋଗୁଁ ପ୍ରାୟ ୬୦ ଲୋକ ମୃତ୍ୟୁବରଣ କରିଥିଲେ । 

ଏଠାରେ ପ୍ରଶ୍ନ ଉଠେ କାହିଁକି ଏପରି ଘଟଣା ଘଟିଚାଲିଛି ?  ଏହାର ଗୋଟିଏ ନୁହେଁ ଏକାଧିକ କାରଣ ରହିଛି । ପ୍ରମୁଖ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ଆଉ ଏକ କାରଣ ହେଉଛି ମଣିଷ ଦ୍ବାରା ବିକାଶ ନାଁରେ ନିର୍ମାଣ କାର୍ଯ୍ୟ । ଏହା ଫଳରେ ହିମାଳୟର ଭୂଗୋଳ କ୍ଷତିଗ୍ରସ୍ତ ହେଉଛି । ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଗ୍ଲାସିୟର ତରଳିବା ଫଳରେ ବନ୍ୟା ଆସୁଛି । ସେହିପରି ତାପମାତ୍ରା ବୃଦ୍ଧି ଯୋଗୁଁ ବାଦଲ ଫଟା ବର୍ଷା ନିୟମିତ ହୋଇଯାଇଛି ।