ଶିମ୍‌ଲା : ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ରାତିରୁ ପ୍ରବଳ ବର୍ଷା ହିମାଚଳ ପ୍ରଦେଶରେ ଆତଙ୍କ ଖେଳାଇ ଦେଇଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ରାଜ୍ୟରେ ଦିନକରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ଜଣ ନିଖୋଜ ଅଛନ୍ତି। ନିଖୋଜ ହୋଇଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଲଗାଣ ବର୍ଷା ‌ଯୋଗୁଁ ହିମାଚଳରେ ଏକାଧିକ ବ୍ରିଜ୍‌ ଧୋଇଯାଇଛି। କାଙ୍ଗ୍ରା ଜିଲ୍ଲାର ଚକ୍କି ନଦୀ ଉପରେ ଯାଇଥିବା ଏକ ରେଳ ପୋଲ ଆଜି ସକାଳେ ଭୁଶୁଡ଼ି ପଡ଼ିଛି। ଏହାଦ୍ବାରା ପଠାନକୋଟ-ଯୋଗୀନ୍ଦ୍ରନଗର ରେଳ ପଥରେ ଚଳାଚଳ ବନ୍ଦ ରହିଛି। ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିଥିବାରୁ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଜରୁରୀ ବୈଠକରେ ମୁକାବିଲା ନେଇ ଆଲୋଚନା କରିଛନ୍ତି। ପ୍ରଭାବିତ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ୩ଟି ଜିଲ୍ଲା ତଥା ମଣ୍ଡି, କାଙ୍ଗ୍ରା ଏବଂ ଚାମ୍ବା ଜିଲ୍ଲା ସର୍ବାଧିକ ପ୍ରଭାବିତ। ଦିନକରେ ହିମାଚଳରେ ୩୪ଟି ବର୍ଷାଜନିତ ବିଭିନ୍ନ ଦୁର୍ଘଟଣା ରେକର୍ଡ କରାଯାଇଛି।

Advertisment

ପ୍ରବଳ ବର୍ଷା ଏବଂ ଭୁସ୍ଖଳନ ପାଇଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ସମେତ ୭ଟି ପ୍ରମୁଖ ରାସ୍ତା ବନ୍ଦ ରହିଛି। ମଣ୍ଡି ଜିଲ୍ଲାର କଶନ ଗ୍ରାମରେ ଏକ ଘର ଭୁଶୁଡ଼ି ପଡ଼ିବା ଫଳରେ ଘରେ ଥିବା ୮ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଏନଡିଆରଏଫ୍‌, ଏସଡିଆରଏଫ୍‌ ଏବଂ ପୁଲିସ ସହାୟତାରେ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଅନ୍ୟ ଏକ ଘଟଣାରେ ମଣ୍ଡି ଜିଲ୍ଲାର ବାଘି ନାଲ୍ଲା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ଆସି ୧୪ ଜଣ ଭାଶି ଯାଇଛନ୍ତି। ଜଣେ ଶିଶୁ ସମେତ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। କିନ୍ତୁ ଅନ୍ୟମାନେ ନିଖୋଜ ଅଛନ୍ତି। ହମିରପୁର ଜିଲ୍ଲାରେ ୨୨ ଜଣ ଲୋକ ବିସ୍‌ ନଦୀ ନିକଟସ୍ଥ ଏକ କୋଠା ଘରର ଛାତ ଉପରେ ଫସି ରହିଥିଲେ। ସେମାନଙ୍କୁ ପ୍ରଶାସନ ଦ୍ବାରା ଉଦ୍ଧାର କରାଯାଇଛି। ଆଜି ଭୋର୍‌ ୪ଟା ସମୟରେ ଭୂସ୍ଖଳନ ଯୋଗୁଁ ଚମ୍ବା ଜିଲ୍ଲା ଅଧୀନସ୍ଥ ଏକ ଘର ଭୁଶୁଡ଼ି ପଡ଼ିବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କାଙ୍ଗ୍ରା ଜିଲ୍ଲା ଅଧୀନସ୍ଥ ଗଗଲ ଖାସ ଗ୍ରାମରେ ଆଜି ସକାଳେ ପ୍ରବଳ ବର୍ଷା ଯୋଗୁଁ ଘର ଭୁଶୁଡ଼ି ଜଣେ ୯ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି। କାଙ୍ଗ୍ରାରେ ଅନ୍ୟ ଏକ ଘଟଣାରେ ଭୂସ୍ଖଳନ ଯୋଗୁଁ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷାଜନିତ କାରଣ ପାଇଁ ହିମାଚଳର ବିଭିନ୍ନ ଜିଲ୍ଲାରେ ଆଜି ସ୍କୁଲ୍‌ କଲେଜ ବନ୍ଦ ଘୋଷଣା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ହିମାଚଳ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା ବିଭାଗ ଭୂସ୍ଖଳନ ନେଇ ସତର୍କ କରିଥିଲେ। ପ୍ରବଳ ବର୍ଷା ଯୋଗୁଁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୂସ୍ଖଳନ ଆକଳନ କରାଯାଇଛି। ଅନ୍ୟପକ୍ଷେ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦ ଜଣ ନିଖୋଜ ଅଛନ୍ତି। ସେହିପରି ଜମ୍ମୁ କାଶ୍ମୀରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାରୁ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।