ଗାଙ୍ଗଟକ: ସିକ୍କିମରେ ଗ୍ଲାସିୟାଲ ହ୍ରଦ ଫାଟି ଉଚ୍ଛୁଳି ଆସିବାରୁ ତିସ୍ତା ନଦୀରେ ଅଚାନକ ଭୀଷଣ ବନ୍ୟା ଆସି ୨୩ ଯବାନଙ୍କ ସମେତ ୧୨୦ ଜଣ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯବାନ ଏବଂ ଅନ୍ୟମାନଙ୍କୁ ଖୋଜିବାପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଜାରି ରହିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ୧୪ଟି ମୃତଦେହ ମିଳିଛି। ସିକ୍କିମରେ ଗତ ରାତିସାରା ପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର ସିକ୍କିମର ଲୋନାକ ଗ୍ଲାସିୟାଲ ହ୍ରଦ ଫାଟିଯିବାରୁ ଅଚାନକ ଏହା ଫୁଲି ଉଠିଥିଲା ଏବଂ ତିସ୍ତା ନଦୀରେ ଜଳସ୍ତର ଭୟାନକ ଭାବେ ବୃଦ୍ଧି ପାଇଥିଲା। ସେନାର ପୂର୍ବ କମାଣ୍ଡ ଦ୍ବାରା ଜାରି ହୋଇଥିବା ବିବୃତି ଅନୁଯାୟୀ ଚୁଙ୍ଗତଙ୍ଗ ଡ୍ୟାମ୍ରୁ ସେହି ସମୟରେ ପାଣି ଛଡ଼ାଯିବାରୁ ଜଳସ୍ତର ହଠାତ୍ ୧୫-୨୦ ଫୁଟ୍ ଉଚ୍ଚତାକୁ ବୃଦ୍ଧି ପାଇଥିଲା। ଏହା ଫଳରେ ସିଙ୍ଗତମ ନିକଟସ୍ଥ ବାରଦଙ୍ଗରେ ପାର୍କିଂ ହୋଇଥିବା ସେନା ଗାଡ଼ି ଭାସିଯିବାରୁ ୨୩ ଯବାନ ନିଖୋଜ ହୋଇଯାଇଛନ୍ତି। ଆହୁରି ଅନେକ ଗାଡ଼ି ମଧ୍ୟ ବନ୍ୟା ଜଳରେ ଭାସିଯାଇଛି।
ଲାଚେନ ଭ୍ୟାଲିରେ କିଛି ସେନା ପ୍ରତିଷ୍ଠାନ ମଧ୍ୟ ପ୍ରଭାବିତ ହୋଇଛି। ଗାଙ୍ଗଟକ ଏସଡିଏମ୍ ଗୋଲିତରୁ ୯ ଜଣ ସିଙ୍ଗତମରୁ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ୬ଟି ଗୁରୁତ୍ବପୂର୍ଣ୍ଣ ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ସିଙ୍ଗତମରେ ଥିବା ଇନ୍ଦ୍ରେଣି ବ୍ରିଜ୍ ତିସ୍ତା ନଦୀର ବନ୍ୟାଜଳ ଦ୍ବାରା ଭାସି ଯାଇଛି। ସିକ୍କିମ ସରକାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଏହି ବନ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି। ତିସ୍ତା ନଦୀ ଜଳସ୍ତର ବୃଦ୍ଧି ପାଉଥିବାରୁ ଡିକଚୁ, ସିଙ୍ଗତମ ଏବଂ ରାଙ୍ଗପୋ ସମେତ ଅନେକ ସହର ପାଣି ଘେରରେ ରହିଛି। ସିକ୍କିମ ଏବଂ ଦେଶର ଅନ୍ୟ ଅଂଶକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥ-୧୦ର କିଛି ଅଂଶ ଭାସି ଯାଇଛି। ଉତ୍ତର ବଙ୍ଗ ଏବଂ ବାଂଲାଦେଶରେ ବନ୍ୟା ସତର୍କତା ଜାରି ହୋଇଛି। ଲାନ୍କୋ ହାଇଡେଲ ପାୱାର ପ୍ରୋଜେକ୍ଟ ନିକଟରେ ଥିବା ଅନ୍ୟ ୨ଟି ବ୍ରିଜ୍ ବି ଭୁଶୁଡ଼ି ପଡ଼ିଛି।
ମୁଖ୍ୟମନ୍ତ୍ରୀ ପି ଏସ୍ ତମଙ୍ଗ ସିଙ୍ଗତମ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସେ ମଧ୍ୟ ସିଙ୍ଗତମ ନଗର ପଞ୍ଚାୟତ ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି ଏବଂ ସେମାନଙ୍କୁ ସତର୍କତା ଅବଲମ୍ବନ କରିବାପାଇଁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସିକ୍କିମ ସରକାର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛନ୍ତି ଏବଂ ଲୋକମାନଙ୍କୁ ତିସ୍ତା ନଦୀ ନିକଟରୁ ଦୂରେଇ ରହିବାପାଇଁ କହିଛନ୍ତି। ପଶ୍ଚିମବଙ୍ଗର ଜଲ୍ପାଇଗୁଡ଼ି ଏବଂ କାଲିମପଙ୍ଗ ପ୍ରଶାସନ ମଧ୍ୟ ତଳିଆ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବା ଆରମ୍ଭ କରିଛି। ପଶ୍ଚିମବଙ୍ଗ ଦେଇ ତିସ୍ତା ନଦୀ ବହିଥିବାରୁ ରାଜ୍ୟର ଉତ୍ତର ଅଂଶରେ ଲୋକମାନେ ମାତ୍ରାଧିକ ସତର୍କତା ଅବଲମ୍ବନ କରିବାପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଛନ୍ତି। ଲୋକମାନଙ୍କୁ ତଳିଆ ଅଞ୍ଚଳରୁ ଯୁଦ୍ଧସ୍ତରରେ ଖାଲି କରାଯାଉଛି।