ଆଫଗାନିସ୍ତାନରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା!

କାବୁଲ: ଆଜି ଅପରାହ୍ନ ୧ଟା ୧୦ ମିନିଟ୍‌ରେ ଆଫଗାନିସ୍ତାନର ଏକ ଯାତ୍ରୀବାହୀ ବିମାନ ‘ଏରିଆନା’ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଆଫ୍‌ଗାନିସ୍ତାନ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ବିମାନର ଧ୍ବଂସାବଶେଷ ଏ ଯାଏ ଠାବ କରାଯାଇ ପାରିନାହିଁ। ଏଥିରେ ଥିବା ୧୧୦ ଯାତ୍ରୀଙ୍କର ମୃତ୍ୟୁ ସନ୍ଦେହ କରାଯାଉଛି। ବିମାନଟି ଯେଉଁ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ସମ୍ପୂର୍ଣ୍ଣ ତାଲିବାନମାନଙ୍କ ଦ୍ବାରା ନିୟନ୍ତ୍ରିତ ଅଞ୍ଚଳ ବୋଲି ଗଜନି ପ୍ରଦେଶର ପ୍ରବକ୍ତା ଆରିଫ ନୁରି ସୂଚନା ଦେଇଛନ୍ତି। ତାଲିବାନମାନେ କ୍ଷେପଣାସ୍ତ୍ର ମାଡ଼ କରି ଖସା‌ଇ ଦେଇଥିବାର ସନ୍ଦେହ କରାଯାଉଛି। ତେବେ ଦୁର୍ଘଟଣାର ସଠିକ କାରଣ ଏଯାଏ ଜଣା ପଡ଼ିନାହିଁ। ସମଗ୍ର ଗଜନି ଅଞ୍ଚଳ ପାହାଡ଼ିଆ ଏବଂ ଏ ଅଞ୍ଚଳରେ ହିନ୍ଦୁକୁଶ ପର୍ବତମାଳା ରହିଥିବାରୁ ଦୁର୍ଘଟଣାଗ୍ରସ୍ତ ବିମାନ ସେ ଅଞ୍ଚଳରେ ଖସି ପଡ଼ିଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆଫଗାନିସ୍ତାନ ଗଣମାଧ୍ୟମର ସୂଚନା ଅନୁଯାୟୀ, ଗଜ୍‌ନି ପ୍ରଦେଶର ଦେ ୟାକ ଜିଲ୍ଲାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୧୧୦ ଜଣ ଯାତ୍ରୀ ଥିଲେ। ଆଫଗାନିସ୍ତାନ ଗଣମାଧ୍ୟମ ଏରିଆନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି କହୁଥିଲାବେଳେ ଏରିଆନା କିନ୍ତୁ ଏହାକୁ ଖଣ୍ଡନ କରିଛି। ଏରିଆନା କହିଛି, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ତାଙ୍କର ନୁହେଁ। କାବୁଲରୁ ହେରାତ ଏବଂ ହେରାତରୁ ନୂଆଦିଲ୍ଲୀ ଯାତ୍ରା କରୁଥିବା ଏରିଆନା ଏୟାରଲାଇନ୍‌ସର ୨ଟି ବିମାନ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ଏରିଆନା କହିଛି।

ସମ୍ବନ୍ଧିତ ଖବର