ରାଞ୍ଚି: ଝାଡ଼ଖଣ୍ଡରୁ ହାଇଦ୍ରାବାଦ୍‌କୁ ଯିବାକୁ ଥିବା ଚାଟାର୍ଡ ପ୍ଲେନ୍‌ ରାଞ୍ଚି ବିମାନବନ୍ଦରର ରନ୍‌ୱେରେ ଅଟକିଛି। ପାଗ ଖରାପ ଯୋଗୁଁ ବିଧାୟକଙ୍କୁ ନେଇଯିବା ପାଇଁ ବାହାରି ଥିବା ବିମାନ ଉଡ଼ିପାରି ନାହିଁ। ଫଳରେ ଝାଡ଼ଖଣ୍ଡର ମେଣ୍ଟ ସରକାର ସହିତ ଜଡ଼ିତ ଥିବା ବିଧାୟକମାନେ ହାଇଦ୍ରାବାଦ୍‌ ଯାଇପାରି ନାହାନ୍ତି। କୁହୁଡ଼ି ଯୋଗୁଁ ବିମାନ ଉଡ଼ିପାରି ନାହିଁ।

Advertisment

ବିଧାୟକଙ୍କୁ ‌ହାଇଦ୍ରାବାଦ୍‌ ନେଇ ଯାଉଥିବା ଉଡ଼ାଣ ବାତିଲ ହୋଇଯାଇଛି। ରାଞ୍ଚି ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ବିମାନ ଉଡ଼ିବା ସମ୍ଭାବନା ନାହିଁ। ବିମାନବନ୍ଦର ପକ୍ଷରୁ ପ୍ରଶାସନକୁ ଦିଆଯାଇଥିବା ସୂଚନା ଅନୁସାରେ ଭିଜିବିଲିଟି ହ୍ରାସ ପାଇ ୧୦୦ ମିଟରରେ ପହଞ୍ଚିଛି। ଏହା ପୂର୍ବରୁ ୨୦୦ ମିଟର ଥିଲା। ବିମାନ ଉଡ଼ିବା ପାଇଁ ୪୦୦ ମିଟର ଭିଜିବିଲିଟି ଦରକାର ହୋଇଥାଏ।

ସୂଚନାଯୋଗ୍ୟ, ହେମନ୍ତ ସୋରେନ୍‌ଙ୍କ ଗିରଫ କରାଯିବା ପରେ ଏବେ ସମସ୍ତଙ୍କର ନଜର ରହିଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ଙ୍କ ଉପରେ। ଚମ୍ପାଇ ସୋରେନ୍‌ଙ୍କୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ହେମନ୍ତ ସୋରେନ୍‌ଙ୍କ ଇସ୍ତଫା ପରେ ଚମ୍ପାଇ ସୋରେନ୍‌ ଗୁରୁବାର ରାଜ୍ୟପାଳଙ୍କୁ ମଧ୍ୟ ଭେଟି ସରକାର ଗଢ଼ିବା ନେଇ ଦାବି କରିଛନ୍ତି। ସେ ରାଜ୍ୟପାଳଙ୍କୁ ୪୩ ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କରିଛନ୍ତି।