କୋଲକାତା: କୋଲକାତା ବିମାନ ବନ୍ଦର କର୍ତ୍ତୃପକ୍ଷ ବାତ୍ୟା ‘ରେମାଲ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରବିବାର ମଧ୍ୟାହ୍ନରୁ ୨୧ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଜରୁରୀ ବୈଠକ ପରେ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।
କୋଲକାତା ସମେତ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ରେମାଲ’ର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ପୂର୍ବାନୁମାନ ଯୋଗୁଁ ମେ ୨୬ରୁ ୨୭ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବିମାନବନ୍ଦର ନିର୍ଦ୍ଦେଶକ ସି ପଟ୍ଟାଭି ଏ ବାବଦ ସୂଚନା ଦେଇଛନ୍ତି। ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହ ଏହି ସାମୁଦ୍ରିକ ଝଡ଼ ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଉପକୂଳରେ ମେ ୨୬ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ରବିବାର ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆଇଏମଡି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/flight-ddd.jpg)