ରୁଷ୍‌ରୁ ଯୁଦ୍ଧବିମାନ କ୍ରୟ: ଚୀନ୍‌ ବିରୋଧରେ କଟକଣା ଲାଗୁକଲା ଆମେରିକା

ଆମେରିକାକୁ ଚୀନ୍‌ର ଧମକ: ପ୍ରତ୍ୟାହାର କର ନହେଲେ ପରିଣାମ ଭୋଗିବ

ଓ୍ଵାସିଂଟନ୍‌: ଚୀନ୍‌ ବିରୋଧରେ ଆଜି ଆମେରିକା ଆର୍ଥିକ କଟକଣା ଲାଗୁ କରିଛି ଏବଂ ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଉଠିଛି। ଚୀନ୍‌ ରୁଷ୍‌ଠାରୁ ଯୁଦ୍ଧବିମାନ ଏବଂ କ୍ଷେପଣାସ୍ତ୍ର କିଣିଥିବାରୁ ଆମେରିକା ଏଭଳି ପଦକ୍ଷେପ ନେଇଥିବା ସ୍ପଷ୍ଟ କରିଛି। ଟ୍ରମ୍ପ୍‌ ପ୍ରଶାସନ ଚୀନ୍‌ ସାମରକି ବିଭାଗ ଉପରେ କଠୋର କଟକଣା ଲଗାଇଥିବାରୁ ରୁଷ୍‌ ମଧ୍ୟ ଏହାକୁ ନେଇ ଉଦ୍‌୍‌ବେଗ ପ୍ରକାଶ କରିଛି। ତେବେ ଟ୍ରମ୍ପ୍‌ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଚୀନ୍‌ କଡ଼ା ସମାଲୋଚନା କରିବା ସହ ତୁରନ୍ତ ଏହି କଟକଣା ପ୍ରତ୍ୟାହାର ନକଲେ ଆମେରିକା ପରିଣାମ ଭୋଗିବ ବୋଲି ଧମକ ଦେଇଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଗେଙ୍ଗ୍‌ ସୁଆଙ୍ଗ୍‌ କହିଛନ୍ତି ଆମେରିକାର ଏଭଳି କାର୍ଯ୍ୟକଳାପ ଅନ୍ତର୍ଜାତୀୟ ସମ୍ପର୍କର ମୌଳିକ ନୀତିନିୟମକୁ ଉଲ୍ଲଂଘନ କରୁଛି ଏବଂ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତି ଖରାପ ସ୍ତରକୁ ଯିବ। ତେବେ ଆମେରିକା ତା’ର ଭୁଲ୍‌ ତୁରନ୍ତ ସୁଧାରିବା ଉଚିତ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଚୀନ୍‌ ରୁଷ୍‌ଠାରୁ ୨୦୧୭ ମସିହାରେ ୧୦ଟି ଏସୟୁ-୩୫ ଯୁଦ୍ଧବିମାନ ଏବଂ ୨୦୧୮ ମସିହାରେ ଏସ୍‌-୪୦୦ କ୍ଷେପଣାସ୍ତ୍ର ବ୍ୟବସ୍ଥା କ୍ରୟ କରିଛି। ରୁଷ୍‌ ବିରୋଧରେ କଠୋର କଟକଣା ଜାରି ରଖିଥିବା ଆମେରିକା ଏବେ ଏହା ସହ କାରବାର କରୁଥିବା ରାଷ୍ଟ୍ରମାନଙ୍କୁ ମଧ୍ୟ ଟାର୍ଗେଟ୍‌ କରୁଥିବାରୁ ଏହା ବିଶ୍ୱ ବ୍ୟାପୀ ଅସ୍ଥିରତା ସୃଷ୍ଟି କରିବ ବୋଲି ଚୀନ୍‌ ଏବଂ ରୁଷ୍‌ ଆଜି ଚେତାଇ ଦେଇଛନ୍ତି। ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଚୀନ୍‌ ମଧ୍ୟ ଏବେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଏସ୍‌-୪୦୦ ଚୁକ୍ତି ପାଇଁ ଭାରତକୁ ଚେତାବନୀ
ଓ୍ଵାସିଂଟନ୍‌ : ରୁଷ୍‌ଠାରୁ ଭାରତ ମହାଶକ୍ତିଶାଳୀ ଏସ୍‌-୪୦୦ ଟ୍ରାୟମ୍ଫ କ୍ଷେପଣାସ୍ତ୍ର ବ୍ୟବସ୍ଥା କିଣିବାପାଇଁ ପ୍ରସ୍ତୁତ ହେଉଥିବାବେଳେ ଆମେରିକା ପୁଣି ଥରେ କଟକଣା ଲାଗୁ କରିବା ପାଇଁ ଚେତାବନୀ ଦେଇଛି। ଆମେରିକାର ମିତ୍ର ରାଷ୍ଟ୍ର ଭାରତ ଏବେ ରୁଷ୍‌ଠାରୁ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା କିଣିବାପାଇଁ ଚୁକ୍ତି ସଂପନ୍ନ କରିସାରିଛି ଏବଂ ଏହା ଯେ କୌଣସି ସ୍ଥିତିରେ ବି କାର୍ଯ୍ୟକାରୀ ହେବ ବୋଲି ସ୍ପଷ୍ଟ କରିଦେଇଛି। ତେବେ ରୁଷ୍‌ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଆମେରିକା ଭାରତ ବିରୋଧରେ ମଧ୍ୟ ଆର୍ଥିକ କଟକଣା ଲାଗୁ ପାଇଁ ଚେତାବନୀ ଦେଇଥିବାରୁ ଆଗକୁ ଦୁଇ ଦେଶ ମଧ୍ୟରେ ସଂପର୍କ ଖରାପ ହେବା ଆଶଙ୍କା ରହିଛି। ଆମେରିକା ଏବେ ଇରାନ୍‌, ଉତ୍ତର କୋରିଆ, ରୁଷ୍‌ ଏବଂ ଚୀନ୍‌ ବିରୋଧରେ ‘କାଟ୍‌ସା’ ଆଇନ ଅଧୀନରେ କଟକଣା ଲଗାଇଛି।

ସମ୍ବନ୍ଧିତ ଖବର