କକପିଟରେ ପାଇଲଟ ସିଗାରେଟ ପିଇବାରୁ ଜଳିଗଲା ବିମାନ, ଚାଲିଗଲା ୬୬ଜଣଙ୍କ ଜୀବନ

ନୂଆଦିଲ୍ଲୀ: ପାଇଲଟଙ୍କ ଭୁଲ ନେଲା ୬୬ଜଣଙ୍କ ଜୀବନ। ମଝି ଆକାଶରେ ଜଳିଗଲା ବିମାନ। ପାଇଲଟଙ୍କ ସିଗାରେଟ ପିଇବାର ଅଭ୍ୟାସ ପାଇଁ ବିମାନରେ ଥିବା ସମସ୍ତ ୬୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏ ଘଟଣା ୨୦୧୬ର ହୋଇଥିଲେ ବି ଅନୁସନ୍ଧାନ ପରେ ଦୁର୍ଘଟଣାର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି। ଅନୁସନ୍ଧାନ ପରେ ଏହା ସାମ୍ନାକୁ ଆସିଛି ଯେ, ପାଇଲଟଜଣକ ସିଗାରେଟ ପିଉଥିବା ସମୟରେ ବିମାନର ଜରୁରୀକାଳୀନ ମାସ୍କରୁ ଅମ୍ଳଜାନ ଲିକ୍ ହେଉଥିଲା। ଏହି କାରଣରୁ ବିମାନରେ ନିଆଁ ଲାଗି ଯାଇଥିଲା।

ଫ୍ରାନ୍ସର ପ୍ୟାରିସ୍ ଚାର୍ଲ୍ସ ଡି ଗାଲ୍ ବିମାନବନ୍ଦରରୁ କାଇରୋ (ଇଜିପ୍ଟର ରାଜଧାନୀ)କୁ ଯାଉଥିବା ଏୟାରବସ୍ ଏ୩୨୦, ୨୦୧୬ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନଟି ରହସ୍ୟମୟ ପରିସ୍ଥିତିରେ ଭୂମଧ୍ୟସାଗରକୁ ଖସି ପଡ଼ିଥିଲା। ପ୍ରଥମେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରେ ଜଣେ ବ୍ରିଟିଶ, ୧୨ଜଣ ଫରାସୀ ପର୍ଯ୍ୟଟକ, ୩୦ଜଣ ଇଜିପ୍ଟୀୟ, ଦୁଇ ଜଣ ଇରାକୀ ଏବଂ କାନାଡିୟ ନାଗରିକ ଥିଲେ।

କାରଣ ଜାଣିବା ପାଇଁ ଦୁର୍ଘଟଣା ପରେ ବିମାନର ବ୍ଲାକ୍ ବକ୍ସ ପାଇଁ ଏକ ବିଶାଳ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଶେଷରେ ବ୍ଲାକ୍ ବକ୍ସଟି ଆମେରିକାର ନୌସେନା ହାତରେ ଲାଗିଥିଲା। ଏବେ ବ୍ଲାକ ବକ୍ସକୁ ନେଇ ଅନୁସନ୍ଧାନ କରାଯିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଛି। ବିଶେଷ କଥା ହେଉଛି ୨୦୧୬ ଦୁର୍ଘଟଣା ସମୟରେ ବିମାନରେ ସିଗାରେଟ୍ ଟାଣିବା ଉପରେ କୌଣସି ପ୍ରତିବନ୍ଧକ ନଥିଲା। ଏହି କାରଣରୁ ବିମାନର କକପିଟରେ ସିଗାରେଟ ପିଇଥିଲେ ପାଇଲଟ। ଏହା ପୂର୍ବରୁ ରକ୍ଷଣାବେକ୍ଷଣ ଇଞ୍ଜିନିୟରିଂ ଅମ୍ଳଜାନ ମାସ୍କକୁ ସାଧାରଣରୁ ଜରୁରୀକାଳୀନ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଯେଉଁଥିପାଇଁ ଅମ୍ଳଜାନ ଲିକ୍ ହେବା ଆରମ୍ଭ କରିଥିଲା। ମେ’ ୧୯, ୨୦୧୬ ରେ ଅମ୍ଳଜାନ ଲିକ ହେଉଥିବାର ଶବ୍ଦ ରାତି ୨.୨୫ରେ ଆସିବା ଆରମ୍ଭ ହୋଇଥିଲା। ଏହାର କିଛି ମିନିଟ୍ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର