ଦିଲ୍ଲୀଗାମୀ ବିମାନର ଜରୁରୀ ଅବତରଣ

ଅପହରଣ ଓ ବିସ୍ଫୋରଣ ଧମକ

ନୂଆଦିଲ୍ଲୀ : ଅପହରଣ ଓ ବିସ୍ଫୋରଣ ଧମକ ପାଇବାପରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ଜେଟ୍‌ ଏୟାରେଓ୍ଵ ବିମାନ ଅହମଦାବାଦ୍‌ରେ ଜରୁରୀ ଅବତରଣ କରିଛି। ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିଥିବା ଜେଟ୍‌ ଏୟାରେଓ୍ଵ ବିମାନ ୯ଡବ୍ଲ୍ୟୁ-୩୩୯ ଆଜିି ସକାଳ ୫ଟାରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥାନ୍ତା କିନ୍ତୁ ଏହାପୂର୍ବରୁ ବିମାନରେ ଅପହରଣକାରୀ ଏବଂ ବିସ୍ଫୋରକ ଥିବାର ଧମକ ମିିଳିବାପରେ ବିମାନଟିର ଦିଗ ପରିବର୍ତ୍ତନ କରାଯାଇ ଅହମଦାବାଦ୍‌ ବିମାନ ବନ୍ଦରରେ ଏହାକୁ ଜରୁରୀ କରାଯାଇଛି। ଜେଟ୍‌ ଏୟାରେଓ୍ଵ ପ୍ରବକ୍ତାଙ୍କ କହିବା ଅନୁଯାୟୀ କୌଣସି ଅଘଟଣ ଘଟିନାହିଁ ଏବଂ ବିମାନରେ ଥିବା ସମସ୍ତ ୧୧୫ ଯାତ୍ରୀଙ୍କ ସହ ୭ ବିମାନ କର୍ମଚାରୀ ସୁରକ୍ଷିତ ଅଛନ୍ତି। ସୁଚନାଯୋଗ୍ୟ ବିମାନରେ ବିସ୍ଫୋରକ ଥିବା ଏବଂ ଅପହରଣକାରୀ ରହିଥିବା ନେଇ ଏକ ଧମକପୂର୍ଣ୍ଣ ପତ୍ର ବିମାନର ଶୌଚ୍ଚାଳୟରୁ ମିଳିବାପରେ ସୁରକ୍ଷା ଦିଗକୁୁ କଡ଼ାକଡ଼ି କରାଯାଇ ଅହମଦାବାଦ୍‌ରେ ବିମାନର ଜରୁରୀ ଅବତରଣ କରାଯାଇଥିଲା। କିନ୍ତୁ ଏହା ଏକ ମିଥ୍ୟା ଧମକ ଥିଲା। ଏଭଳି ଏକ ମିଥ୍ୟା ଖବର ପ୍ରଚାର କରିଥିବା ଅଭିଯୁକ୍ତ ଜଣଙ୍କୁ ଚିହ୍ନଟ କରାସରିଛି ଏବଂ ସେ ହେଉଛନ୍ତି ବିର୍ଜୁ କିଶୋର ସାଲ୍ଲା। ତେବେ ସେ ବାରମ୍ବାର ଏମିତି ଅଘଟଣ ଘଟାଇ ଚାଲିଛନ୍ତି। ଏହା ପୂର୍ବରୁ ସେ ବିମାନକୁ ଅସରପା ଆଣି ସମସ୍ୟା ସୃଷ୍ଟି କରିଥିଲେ ଏବଂ ଏଥିପାଇଁ ଏୟାରଲାଇନ୍‌କୁ ଦୋଷାରାପ କରିଥିଲେ। ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ ପଚରାଉଚୁରା କରୁଛି। ତେବେ ଅଭିଯୁକ୍ତ ବିରୋଧରେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି (ସିଭିଲ ଆଭିଏସନ୍‌ ମିନିଷ୍ଟର) ଅଶୋକ ଗଣପତି ରାଜୁ ଟ୍ଵିଟ୍‌ ମାଧ୍ୟମରେ ଜଣାଇଛନ୍ତି। ଅଶୋକଙ୍କୁ ମଧ୍ୟ ନୋ-ଫ୍ଲାଏ ଲିଷ୍ଟ୍‌ରେ ଅନ୍ତର୍ଭୁକ୍ତ କରିବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ଏବଂ ଅନ୍ୟ ସୁରକ୍ଷା ସଂସ୍ଥା ଗୁଡ଼ିକ ବିମାନରେ ବିସ୍ଫୋରକ ଥିବା ନେଇ ଖୋଜାଖୋଜି କରିଥିଲେ ମଧ୍ୟ ପାଇନାହାନ୍ତି।

ସମ୍ବନ୍ଧିତ ଖବର