ନୂଆଦିଲ୍ଲୀ : କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ବାଧ୍ୟତାମୂଳକ ମାନକକୁ ଉଲଂଘନ କରି ଘରୋଇ ପ୍ରେସର୍ କୁକର୍ ବିକ୍ରି ପାଇଁ ଅନୁମତି ଦେବା ହେତୁ ଇ-କମର୍ସ ପ୍ଲାଟ୍ଫର୍ମ ‘ଫ୍ଲିପ୍କାର୍ଟ’କୁ ଜରିମାନା କରିଛନ୍ତି। ମୁଖ୍ୟ ଆୟୁକ୍ତ ଶ୍ରୀମତୀ ନିଧି ଖରେଙ୍କ ଅଧ୍ୟକ୍ଷତାରେ ସିପିପିଏ ଫ୍ଲିପ୍କାର୍ଟକୁ ନିଜ ପ୍ଲାଟ୍ଫର୍ମରେ ବିକ୍ରି ହେଉଥିବା ସମସ୍ତ ୫୯୮ ପ୍ରେସର କୁକର୍ ବିଷୟରେ ଗ୍ରାହକମାନଙ୍କୁ ସୂଚିତ କରିବା, ନିମ୍ନମାନର ପ୍ରେସର୍ କୁକର୍କୁ ଫେରସ୍ତ ନେବା ଏବଂ ଗ୍ରାହକମାନଙ୍କୁ ସେମାନଙ୍କ ମୂଲ୍ୟର ଭରଣା କରିବା ସହ ୪୫ ଦିନ ମଧ୍ୟରେ ଏହାର ଅନୁପାଳନ ରିପୋର୍ଟ ପ୍ରସ୍ତୁତ କରିବାର ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀକୁ ନିଜ ଇ-କମର୍ସ ପ୍ଲାଟ୍ଫର୍ମରେ ଏପରି ପ୍ରେସର୍ କୁକର୍ ବିକ୍ରିର ଅନୁମତି ଦେବା ଏବଂ ଗ୍ରାହକମାନଙ୍କ ଅଧିକାରକୁ ଉଲ୍ଲଂଘନ କରିବା ହେତୁ ୧୦୦,୦୦୦ ଟଙ୍କାର ଜରିମାନା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାର ବିଭିନ୍ନ ସମୟରେ ଗୁଣବତ୍ତା ନିୟନ୍ତ୍ରଣ ଆଦେଶ (କ୍ୟୁସିଓ) ଦେଇଥାନ୍ତି, ଯାହା ଗ୍ରାହକଙ୍କୁ କ୍ଷତି ହେବାରୁ ସୁରକ୍ଷା ପ୍ରଦାନ କରିଥାଏ। ୦୨-୦୨-୨୦୨୧ରେ ଲାଗୁ ହୋଇଥିବା ଘରୋଇ ପ୍ରେସର୍ କୁକର୍ (ଗୁଣବତ୍ତା ନିୟନ୍ତ୍ରଣ) ଆଦେଶ ଅନୁଯାୟୀ ସମସ୍ତ ଘରୋଇ ପ୍ରେସ୍ର କୁକର୍ ଆଇଏସ୍ ୨୩୪୭:୨୦୧୭ ମାନକ ବିଶିଷ୍ଟ ହେବା ଅନିବାର୍ଯ୍ୟ। ସିସିପିଏ ଜାଣିବାକୁ ପାଇଛନ୍ତି ଯେ ଫ୍ଲିପ୍କାର୍ଟ ନିଜର ଇ-କମର୍ସ ପ୍ଲାଟ୍ଫର୍ମରେ ଏପରି ପ୍ରେସର୍ କୁକର୍ ବିକ୍ରି ମାଧ୍ୟମରେ ସମୁଦାୟ ୧,୮୪,୨୬୩ ଟଙ୍କା ପ୍ରାପ୍ତ କରିଛି। ଯେତେବେଳେ ଫ୍ଲିପ୍କାର୍ଟକୁ ଏପରି ପ୍ରେସର୍ କୁକର୍ ବିକ୍ରି ଦ୍ବାରା ବ୍ୟବସାୟିକ ଭାବରେ ଲାଭ ହୋଇଛି, ତେଣୁ ସେ ଉପଭୋକ୍ତାଙ୍କୁ ତାଙ୍କର ବିକ୍ରିରେ ସୃଷ୍ଟି ହୋଇଥିବା ଭୂମିକା ଓ ଦାୟିତ୍ବରୁ ନିଜକୁ ମୁକ୍ତ କରିପାରିବ ନାହିଁ ବୋଲି ସିସିପିଏ କହିଛନ୍ତି।
ଗ୍ରାହକଙ୍କ ମଧ୍ୟରେ ସଚେତନତା ଓ ଗୁଣବତ୍ତାର ଜ୍ଞାନ ବଢ଼ାଇବା ପାଇଁ ସିସିପିଏ କେନ୍ଦ୍ର ସରକାର ଦ୍ବାରା ପ୍ରକାଶିତ କ୍ୟୁସିଓର ଉଲଙ୍ଘନ କରୁଥିବା ନକଲି ଏବଂ ଜାଲିଆତି ସାମଗ୍ରୀର ବିକ୍ରି ବନ୍ଦ କରିବା ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଛି। ଅଭିଯାନର ଅଂଶ ଭାବରେ ଦୈନିକ ବ୍ୟବହାର ହେଉଥିବା ହେଲମେଟ, ଘରୋଇ ପ୍ରେସର୍ କୁକର୍ ଓ ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ସାମିଲ ରହିଛି। ସିସିପିଏ ଦେଶବ୍ୟାପୀ ଜିଲ୍ଲାପାଳଙ୍କୁ ଏପରି ଉତ୍ପାଦର ନିର୍ମାଣ ବା ବିକ୍ରି ସମ୍ବନ୍ଧିତ ଅନୁଚିତ କାର୍ଯ୍ୟ ଏବଂ ଗ୍ରାହକ ଅଧିକାରକୁ ଉଲଂଘନର ଯାଞ୍ଚ କରିବା ଏବଂ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଲେଖିଛନ୍ତି। ଅଭିଯାନ ଅନ୍ତର୍ଗତ ବିଆଇଏସ୍ ଅନେକ ଅଣ-ମାନକ ହେଲ୍ମେଟ୍ ଏବଂ ପ୍ରେସର୍ କୁକର୍କୁ ବାହାର କରି ଜବତ କରିଛି। ନିମ୍ନମାନର ୧୪୩୫ ପ୍ରେସର୍ କୁକର୍ ଓ ୧୦୮୮ ହେଲ୍ମେଟ୍କୁ ବିଆଇଏସ୍ ଦ୍ବାରା ଜବତ କରାଯାଇଛି। ପରେ ଅନ୍ୟ ସାମଗ୍ରୀକୁ ଏହାର ଅନ୍ତର୍ଗତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/flipkart.jpg)