ଭାରତ-ମିଆଁମାର ମହିଳା ଉଦ୍ୟୋଗୀଙ୍କ ସହଯୋଗ ବୃଦ୍ଧିକୁ ଗୁରୁତ୍ବ

ଫିକି ମହିଳା ସଂଘ ପକ୍ଷରୁ ୱେବିନାର

ନୂଆଦିଲ୍ଲୀ : ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ନିରବଚ୍ଛିନ୍ନ ଜୀବିକା ସୁବିଧା‌ ସୃଷ୍ଟି କରିବା ପାଇଁ ଭାରତ ଓ ମିଆଁମାର ମଧ୍ୟରେ ରହିଥିବା ସୁଯୋଗକୁ ଉପଯୋଗ କରିବାର ନକ୍ସା ପ୍ରସ୍ତୁତ କରିବା ପାଇଁ ଏକ ଆଲୋଚନାଚକ୍ର ଅନୁ‌ଷ୍ଠିତ ହୋଇଯାଇଛି। ଫିକି ମହିଳା ସଂଘ (ଏଫ୍‌ଏଲ୍‌ଓ) ପକ୍ଷରୁ ଏହି ଆଲୋଚନାଚକ୍ର ‌ୱେବ୍ ମାଧ୍ୟମରେ ହୋଇଥିଲା। ମିଆଁମାରସ୍ଥିତ ଭାରତୀୟ ଦୂତାବାସ, ଭାରତ ମିଆଁମାର ଚାମ୍ବର ଅଫ୍ କମର୍ସ (ଆଇଏମସିସି) ଏବଂ ମିଆଁମାର ମହିଳା ଉଦ୍ୟୋଗୀ ସଂଘ (ଏମ୍‌ଡବ୍ଲ୍ୟୁଇଏ) ସହଯୋଗରେ ଏହା ଆୟୋଜିତ ହୋଇଥିଲା। ମିଆଁମାରରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସୌରଭ କୁମାର, ଆଇଏମସିସିର ସଭାପତି ସୁନିଲ ସେଠ୍‌ ଏଥିରେ ଭାଗ ନେଇ ଦୁଇ ଦେଶ ମଧ୍ୟରେ ରହିଥିବା ବ୍ୟାବସାୟିକ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ।

ୱେବିନାର‌ରେ ସୌରଭ କୁମାର କହିଥିଲେ ଭାରତ ଓ ମିଆଁମାର ଉଭୟ ବିମଷ୍ଟେକ୍ର ସଦସ୍ୟ ହୋଇଥିବାବେଳେ ମିଆଁମାର ହେଉଛି ଏକମାତ୍ର ଦେଶ ଯିଏକି ଭାରତର ଦୁଇଟି ପ୍ରମୁଖ ବିଦେଶ ନୀତି ଯଥା ଆକ୍ଟ ଇଷ୍ଟ୍ ଏବଂ ନେଇବରହୁଡ୍‌ ଫାଷ୍ଟ୍ ଅଧୀନରେ ଆସୁଛି। ଏବେ ଆମକୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସହଯୋଗ ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେବାକୁ ହେବ ବୋଲି ରାଷ୍ଟ୍ରଦୂତ ଶ୍ରୀ କୁମାର କହିଥିଲେ। ଫିକି ମହିଳା ସଂଘର ସଭାପତି ଜାହ୍ନବୀ ଫୁକନ ‌ଉକ୍ତ ୱେବିନାରର ପୃଷ୍ଠଭୂମି ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ, ବିମଷ୍ଟେକ୍ ଦେଶ ଗୁଡ଼ିକ ମଧ୍ୟରେ ମିଆଁମାର ସହିତ ପ୍ରଥମେ ଆଲୋଚନା ଆରମ୍ଭ ଆମକୁ ଆନନ୍ଦ ଦେଇଛି। ନୂଆ ଦଶନ୍ଧିରେ ଜୀବିକା ସଂପର୍କିତ ଏବଂ ଉଦ୍ୟୋଗୀ ପରିଚାଳିତ ବଜାର ଶକ୍ତିକୁ ଉପଯୋଗ କରି ଦୁଇ ଦେଶର ମହିଳାଙ୍କ ମଧ୍ୟରେ ଏକ ମଜବୁତ ଅର୍ଥନୈତକ ସମ୍ପର୍କ ସ୍ଥାପନ କରିବା ଏବଂ ଏକ ଦୁଇ ଦେଶ ମଧ୍ୟରେ ମହିଳା ନେତ୍ରୀମାନଙ୍କର ଏକ କ୍ୟାଡର ସୃଷ୍ଟି କରିବାକୁ ସେ ମତ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂଷ୍ଟିକୋଣକୁ ଲକ୍ଷ୍ୟ ରଖି ଆମକୁ ମିଆଁମାର ସହିତ ୩ଟି ‘ସି’ ଯଥା କମର୍ସ, କମ୍ୟୁନିକେସନ ଏବଂ କଲ୍‌ଚର୍‌କୁ ଆମେ ଆଗକୁ ନେବାକୁ ଆଗ୍ରହୀ ବୋଲି ସେ କହିଥିଲେ। କରୋନା ମହାମାରୀବେଳେ ମହିଳାମାନେ ନିଯୁକ୍ତି ଖୋଜିବା ପରିବର୍ତ୍ତେ ଅନ୍ୟମାନଙ୍କୁ ନିଯୁକ୍ତି ଦେବା ଉଚିତ ବୋଲି ସେ ମତ ଦେଇଥିଲେ। ଏଫ୍‌ଏଲ୍‌ଓ ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ ଏଥିରେ ଯୋଗଦେଇ କହିଥିଲେ, ମହିଳା ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ପାଇଁ ଏକ ସମନ୍ବିତ ପ୍ଲାଟଫର୍ମ ପ୍ରତିଷ୍ଠା ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗ ନେଇ ରହିଥିବା ସୁଯୋଗର ଅନୁସନ୍ଧାନ କରିବା ଉପରେ ଆମେ ଗୁରୁତ୍ବ ଦେଉଛୁ। ଏଥିରେ ଏମ୍‌ଡବ୍ଲ୍ୟୁଇଏର ଜେନେରାଲ ସେକ୍ରେଟାରି ଖିନ୍ ଥେଟ୍ ମ’ଙ୍କ ସମେତ ଏଫଏଲଓର ଅନେକ ଖ୍ୟାତନାମା ସଦସ୍ୟା ଯୋଗଦେଇ ସେମାନଙ୍କ ମତ ରଖିଥିଲେ।

ସମ୍ବନ୍ଧିତ ଖବର