ଗୁଜୁରାଟରେ ବନ୍ୟା ସ୍ଥିତି, ତେଲେଙ୍ଗାନାରେ ତିନି ଦିନ ବନ୍ଦ ରହିବ ବିଦ୍ୟାଳୟ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ହେତୁ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ମୋୖସୁମୀ ସକ୍ରିୟ ଥିବାବେଳେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ମିଳିଥିବା ସୂଚନା ମୁତାବକ ଗୁଜୁରାଟର ନାଭସାରୀ ଏବଂ ଭାଲସାଡର ୭୦୦ ରୁ ଅଧିକ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ଓରସଙ୍ଗ ନଦୀର ଜଳ ସ୍ତର ବୃଦ୍ଧି ହେତୁ ତଳିଆ ଅଞ୍ଚଳଗୁଡିକ ଜଳବନ୍ଦୀ ହୋଇ ରହିଛି। ନାଭସାରି ଜିଲ୍ଲା ପ୍ରଶାସନ ମଧ୍ୟ କାବେରି ଏବଂ ଆମ୍ବିଗା ନଦୀଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରିଛି।

ସେହିପରି ତେଲେଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି | ଆଉ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ତିନି ଦିନ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି ଯେ ବର୍ଷା ଯୋଗୁଁ ଜୁନ୍ ୧ରୁ ଏପର୍ଯ୍ୟନ୍ତ ୭୬ ଜଣଙ୍କର ମୃତ୍ୟୁ ହୋଇଛି। ବିଭାଗର ସୂଚନା ଅନୁଯାୟୀ, ୮୩୮ଟି ଘର ଭୁଶୁଡି ପଡିଥିବାବେଳେ ୪୯୧୬ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର