ନୂଆଦିଲ୍ଲୀ: ଯାତ୍ରା ସମୟରେ ଡଙ୍ଗା ବୁଡ଼ିଯିବାରୁ ଆଟ୍ଲାଣ୍ଟିକ୍ ସମୁଦ୍ର ମଝିରେ ଗୋଟାଏ ଭାସମାନ ଫ୍ରିଜର୍ରେ ୧୧ ଦିନ ବିତାଇ ଥିବା ଜଣେ ବ୍ରାଜିଲୀୟ ଧୀବରଙ୍କୁ ଉଦ୍ଧାର କରାଯାଇଥିବା କଥା ‘ଦି ରିଓ ଟାଇମ୍ସ୍’ ରିପୋର୍ଟ କରିଛି।
ଡଙ୍ଗାବୁଡ଼ି ଯିବା ପରେ ସେଥିରେ ଥିବା ଗୋଟାଏ ଫ୍ରିଜର୍ ସମୁଦ୍ରରେ ଭାସିଉଠିଥିଲା। ଜୀବନ ବିକଳେ ୪୪ ବର୍ଷିୟ ଧୀବର ସେ ଫ୍ରିଜର୍ ଭିତରକୁ ପଶିଗଲେ ଓ ବିନା ଖାଦ୍ୟରେ କେବଳ ଅଳ୍ପ ପାଣି ପିଇ ୧୧ ଦିନ ସମୁଦ୍ରରେ ଭାସି ବୁଲିଥିଲେ।
ସୌଭାଗ୍ୟକୁ ଅନ୍ୟ ଗୋଟାଏ ବୋଟ୍ର ନାବିକମାନେ ସୁରିନେମ୍ ନିକଟ ସମୁଦ୍ରରେ ଫ୍ରିଜର୍ଟିଏ ଭାସୁଥିବା ଦେଖି ସେଥିରୁ ରୋଡ୍ରିଗୁଏସ୍ ନାମକ ସେ ଧୀବରଙ୍କୁ ଉଦ୍ଧାର କରିଥିଲେ। ପାଖରେ ଆବଶ୍ୟକ କାଗଜପତ୍ର ନ ରଖିଥିବାରୁ ରୋଡ୍ରିଗୁଏସ୍ଙ୍କୁ ୧୬ ଦିନ ଧରି ସୁରିନେମ୍ର ରାଜଧାନୀ ନଗରୀ ପାରାମାରିବୋରେ ହାଜତରେ କଟାଇବାକୁ ପଡ଼ିଲା ବୋଲି ‘ନେସନ୍ ୱାର୍ଲଡ୍ ନିଉଜ୍’ ରିପୋର୍ଟ କରିଛି।
ଆନୁସଙ୍ଗିକ କାଗଜପତ୍ର ନ ଥିବାରୁ ରୋଡ୍ରିଗୁଏସ୍ଙ୍କୁ ପ୍ରଥମେ ବେଆଇନ ପ୍ରବାସବାସୀ ମନେକରି ଅଟକା ଯାଇଥିଲା। ପରେ ବ୍ରାଜିଲ୍ର ବେଲେମ୍ ଫେରିଯିବା ଲାଗି ତାଙ୍କ ପାଇଁ ଉଡ଼ାଜାହାଜ ଟିକେଟ୍ ବୁକ୍ କରାଯାଇଥିଲା।
ବ୍ରାଜିଲୀୟ ଗଣମାଧ୍ୟମ ସହିତ କରିଥିବା ସାକ୍ଷାତ୍କାରରେ ରୋଡ୍ରିଗୁଏସ୍ କହିଛନ୍ତି ଯେ, ଡଙ୍ଗା ବୁଡ଼ିଯାଉଥିବା ଦେଖି ସେ ଫ୍ରିଜର୍ରେ ପଶିଯିବାକୁ ଠିକ୍ କଲେ। ଅଗଷ୍ଟ ୧୧ ତାରିଖ ଦିନ ତାଙ୍କୁ ତାଙ୍କ ଡଙ୍ଗା ବୁଡ଼ିଯାଇଥିବା ସ୍ଥାନଠାରୁ ୪୫୦ କିଲୋମିଟର୍ ଦୂରରୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଜଳଶୁଷ୍କତା ଯୋଗୁଁ ସେ ସୁରିନେମୀୟ ମାଛଧରା ଡଙ୍ଗା ଉପରେ ଟଳି ପଡ଼ିଥିଲେ ବୋଲି ‘ନେସନ୍ ୱାର୍ଲଡ୍ ନିଉଜ୍’ ରିପୋର୍ଟ କରିଛି।