ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ ଓ କଶ୍ମୀରରେ ବନ୍ୟା, ଅମରନାଥ ଯାତ୍ରା ସ୍ଥଗିତ

ଶ୍ରୀନଗର: ଜଳସ୍ତର ବୃଦ୍ଧି ପାଉଥିବାରୁ ଏବଂ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ ଘୋଷଣା ହେବାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ କଶ୍ମୀରରେ ବନ୍ୟା ସତର୍କତା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ କର୍ତ୍ତୃପକ୍ଷମାନେ ଦିନରାତି ମନିଟରିଙ୍ଗ୍‌ ବ୍ୟବସ୍ଥା କରିଛନ୍ତି।

ଶନିବାର ସକାଳେ ଦକ୍ଷିଣ କଶ୍ମୀରର ସଙ୍ଗମ ଏବଂ ଶ୍ରୀନଗରର ରାମ ମୁନ୍‌ସିବାଗରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିଲା।
ଅଧିକାରୀମାନେ କହିଛନ୍ତି ଯେ ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ସଙ୍ଗମ ଠାରେ ୨୧ ଫୁଟ୍‌ ଉଚ୍ଚ ସଙ୍କେତରେ ଝେଲମ୍‌ ନଦୀ ପ୍ରବାହିତ ହେଉଛି।

ରାମ ମୁନ୍‌ସି ବାଗ୍‌ ଠାରେ ଜଳସ୍ତର ୧୩. ୩୪ ଫୁଟ୍‌ ଉଚ୍ଚରେ ପ୍ରବାହିତ ହେଉଥିଲା। ଝେଲମ୍‌ ନଦୀକୂଳରେ ବସବାସ କରୁଥିବା ଲୋକେ ସେ ଅଞ୍ଚଳ ଛାଡ଼ି ଚାଲି ଯାଉଛନ୍ତି। ଅନ୍ୟାନ୍ୟ ନଦୀତଟରେ ତଥା ତଳମାଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି।

ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଶ୍ରୀନଗର ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। କଶ୍ମୀରର ବିଭିନ୍ନ ଅଞ୍ଚଳରେ କଣ୍ଟ୍ରୋଲ୍‌ ରୁମ୍‌ ସବୁ ଖୋଲା ଯାଇଛି ଏବଂ ବନ୍ୟା ଡିୟୁଟିରେ ଥିବା ଅଧିକାରୀମାନଙ୍କୁ ବନ୍ୟା ସଂକ୍ରାନ୍ତରେ ରିପୋର୍ଟ ଦେବାକୁ କୁହାଯାଇଛି।

ଉପତ୍ୟକାରେ ସଦ୍ୟ ବୃଷ୍ଟିପାତ କାରଣରୁ ପାହାଲ୍‌ଗାମ୍‌ ଏବଂ ବଲତଲ ଠାରେ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଛି।

ଶୁକ୍ରବାର ଦିନ ମଧ୍ୟ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଥିଲା।

ସମ୍ବନ୍ଧିତ ଖବର